Unknown

 

 

 

 

 

 

 

 

 

ଭ୍ରାନ୍ତି

ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ

 

( ୧ )

 

ଶେଫାଳୀ ଜମିଦାର ଦୁହିତା “ରାଣୀ ଶେଫାଳିକା”, ଉଆସର ଜେମାମଣି । ମାଳତୀ ଜମିଦାରଙ୍କ କର୍ମଚାରୀର ଧୂର୍ତ୍ତା ଦୁହିତା-ଶେଫାଳୀର ସଙ୍ଗିନୀ, ତୋଷାମୋଦକାରିଣୀ, ବିଚକ୍ଷଣା ଓ କୂଟବୁଦ୍ଧିସମ୍ପନ୍ନା । ପ୍ରଭୁକନ୍ୟା ନିକଟରେ ଉପବେଶନ ପୂର୍ବକ ମାଳତୀ ଗଳ୍ପର ପସରା ମେଲି ଦେଇଅଛି । ଦିବା ଏକଘଟିକା ଉତ୍ତୀର୍ଣ୍ଣ, ଶେଫାଳୀର ଅଳ୍ପ ଅଳ୍ପ ତନ୍ଦ୍ରା ବୋଧ ହେଉଅଛି, ମାଳତୀ ତାହା ଲକ୍ଷ୍ୟ ନ କରି ଗଳ୍ପରେ ବ୍ୟାପୃତ । ହଠାତ୍ ଗୋଟିଏ ଶଦ୍ଦ ଶୁଣି ସେମାନେ ଚମକି ପଡ଼ିଲେ । “ଏ କଣ ଅନୁ ବାବୁ !”, ଏହା କହି ବିସ୍ମୟରେ ହତବୁଦ୍ଧି ମାଳତୀ ଧଡ଼୍ କରି ଉଠି ବସିଲା । ଶେଫାଳୀର ବାକ୍ୟସ୍ଫୂର୍ତ୍ତି ହେଲା ନାହିଁ । ତାହାର ସର୍ବାଙ୍ଗ ଥରିଲା । ଅନୁ ପଡ଼ି ଯାଇଅଛି, ମୁଣ୍ଡରେ ଆଘାତ ଲାଗି ରକ୍ତ ଝର ଝର ବହି ଯାଉଅଛି, ସମସ୍ତ ବସ୍ତ୍ର ରକ୍ତରେ ଆର୍ଦ୍ର, ତାହାର ଚିତ୍କାରରେ କ୍ଷଣକ ମଧ୍ୟରେ ଗୃହର ପୂଝାରୀ, ବେହେରା, ଭଣ୍ଡାରୀ, ଦାସୀ ରୁଣ୍ଡ ହୋଇଗଲେ । କିଏ ପାଣି ଢାଳିଲା, କିଏ ପଟି ବାନ୍ଧିଲା, କିଏ ଡାକ୍ତର ଡାକିବାକୁ ଗଲା, କିଏ କେବଳ ପାଟି କଲା । ଅନୁ ଅଚେତନ ।

 

ଡାକ୍ତର ଦିଗମ୍ବର ଚୌଧୁରୀ କ୍ଷତ ସ୍ଥାନ ପରୀକ୍ଷା କରି ଆଘାତ ଗୁରୁତର ନ ଥିବା ପ୍ରକାଶ କଲେ । ହରିହରଙ୍କ ପରିବାର ଆଶ୍ୱସ୍ତ ହେଲେ । ଶେଫାଳୀର କମ୍ପିତ ବକ୍ଷ ସ୍ଥିର ହେଲା; ମାଳତୀର ବାଷ୍ପାକୁଳିତ ନେତ୍ରବାରି ପ୍ରଶମିତ ହେଲା ।

 

ଅନୁ ଶଯ୍ୟାଶାୟିତ । ପାର୍ଶ୍ୱରେ ମୂର୍ତ୍ତିମତୀ କରୁଣାରୂପିଣୀ ଶେଫାଳିକା, କ୍ଷୁଦ୍ର ଭଗିନୀତୁଲ୍ୟା ମମତାମୟୀ, ମାତୃତୁଲ୍ୟା ଯତ୍ନବତୀ । ଶେଫାଳୀର ପ୍ରାଣ ଅନୁଠାରେ, ଧ୍ୟାନ ଅନୁଠାରେ, ଅନୁ ତାହାର ଭ୍ରାତାଠାରୁ ଅଧିକ ପ୍ରିୟ, ଆବାଲ୍ୟସଙ୍ଗୀ, କ୍ରୀଡ଼ା ସହଚର, ସୁଖ ଦୁଃଖ, ଭ୍ରମଣ, ପଠନ ସବୁର ସହଭାଗୀ । ଅନୁ ତାହାର ଅନୁ । ଶେଫାଳୀର ସ୍ନାନ ଭୋଜନରେ ତୃପ୍ତି ନାହିଁ, ଖେଳ କୌତୁକରେ ମନ ନାହିଁ । କେବଳ ଅବିଶ୍ରାନ୍ତ ଭାବରେ ଦିବସ ରଜନୀ ଅନୁ ନିକଟରେ ଅତିବାହିତ କରେ । ଅନୁ ବାଳକ, ତ୍ରୟୋଦଶବର୍ଷୀୟ ସୁକୁମାର ବାଳକ । ହରିହର ବାବୁଙ୍କର ପାଳିତ ।

 

ହରିହର ଛୋଟରାଏ ସ୍ଥାନୀୟ ଜମିଦାର, ଅତୁଳ ଐଶ୍ୱର୍ଯ୍ୟଶାଳୀ ଏବଂ ସଦାଶୟ; କିନ୍ତୁ ମା କମଳାଙ୍କର ବରପୁତ୍ର ହରିହର, ଷଷ୍ଠୀ ଦେବୀଙ୍କ କୃପାରୁ ବଞ୍ଚିତା, ତାଙ୍କର ପତ୍ନୀ ଇନ୍ଦୁମୁଖୀ ଅତୁଳନୀୟ ରୂପ ଅପାର ଐଶ୍ୱର୍ଯ୍ୟର ଅଧିକାରିଣୀ ହୋଇ ସୁଦ୍ଧ ନିଜକୁ ଅତ୍ୟନ୍ତ ଅଭାଗିନୀ ଜ୍ଞାନ କରି ବଡ଼ ଦୁଃଖରେ କାଳ କାଟୁଥିଲେ । ବିବାହର ଦଶବର୍ଷ ଅତୀତ ହେଲା । ବହୁତ ବ୍ରତ ନିୟମ ପୂଜା ଉପବାସାଦି ପାଳନ କଲେ; ମାତ୍ର ସନ୍ତାନ ଆକାଙ୍‍କ୍ଷା ଫଳବତୀ ହେଲା ନାହିଁ । ତହୁଁ ତୀର୍ଥାଦି ପର୍ଯ୍ୟଟନ କଲେ । ତଦ୍ଦ୍ୱାରା ମଧ୍ୟ କିଛି ଲାଭ ହେଲା ନାହିଁ । ଏହି ସମୟରେ କଟକ ଜିଲାରୁ ଘନଶ୍ୟାମ ମହାନ୍ତି ନାମକ ଜଣେ ପରମ ଧାର୍ମିକ ବ୍ୟକ୍ତି ଗୃହ ବିବାଦରେ ନିତାନ୍ତ ନିଃସ୍ୱ ଅବସ୍ଥା ପ୍ରାପ୍ତ ହୋଇ ହରିହର ଛୋଟରାଏଙ୍କ ଜମିଦାରୀରେ ଆଶ୍ରୟ ଗ୍ରହଣ କଲେ । ତଦୀୟ ପତ୍ନୀ ସୁଶୀଳା ଦେଈ ଏକମାତ୍ର ସନ୍ତାନ ଅନଙ୍ଗମୋହନର ଜନ୍ମ ପରେ ମାନବଲୀଳା ସମ୍ୱରଣ କରିଥିଲେ । ଦୁଇ ବର୍ଷର ସୁକୁମାର ଶିଶୁକୁ ଘେନି ପିତା ଘନଶ୍ୟାମ ଜମିଦାର ବାବୁଙ୍କ ବସାରେ ରହି ତାଙ୍କ ଜମିଦାରୀରେ ଦେବାନ କାର୍ଯ୍ୟ କରିବାକୁ ଲାଗିଲେ । ମାତୃହୀନ ଅନୁକୁ ପାଇ ଇନ୍ଦୁମୁଖୀଙ୍କର ଆଉ ଆହ୍ଲାଦର ସୀମା ରହିଲା ନାହିଁ । ଦିବାରାତ୍ର ଅନୁ ତାଙ୍କ ନିତଟରେ ଥାଏ । ତାହାର ସମସ୍ତ ସେବା ସ୍ୱହସ୍ତରେ କରି ସୁଦ୍ଧା ଇନ୍ଦୁମୁଖୀଙ୍କର ତୃପ୍ତି ହୁଏ ନାହିଁ ।

 

ଈଶ୍ୱରେଚ୍ଛାରେ ଏହି ସମୟରେ ତାଙ୍କର ଚିର−ଦିନର ଦୁଃଖ ଅବସାନ ହୋଇ ଗୋଟିଏ ସନ୍ତାନ ଜନ୍ମଗ୍ରହଣ କଲା । ଗୃହ ଆଲୋକିତ କରି ଆଶ୍ୱିନ ପ୍ରାତଃକାଳର ମଧୁର ସୂର୍ଯ୍ୟୋଦୟ ସମୟରେ ଉଷା−ରୂପିଣୀ ଏକ ପରମାସୁନ୍ଦରୀ କନ୍ୟା ହରିହରଙ୍କ ନିରାନନ୍ଦ ଗୃହ−ମରୁରେ ଫୁଟି ଉଠିଲା । ସେତେବେଳେ ଦଶହରା ପୂଜାର ଗୋଳମାଳ, ବୃହତ୍ ଜମିଦାର ପ୍ରାସାଦ ପରିପୂର୍ଣ୍ଣ । ମା ଅନ୍ନପୂର୍ଣ୍ଣାଙ୍କ ଆଗମନ ସଙ୍ଗେ ସଙ୍ଗେ ସେହି ମା ମୂର୍ତ୍ତିମତୀ ସ୍ନେହପ୍ରତିମା ସଦୃଶ କନ୍ୟାରୂପରେ ଆଗମନ କରି ଇନ୍ଦୁମୁଖୀଙ୍କ କ୍ରୋଡ଼ାସନ ଉଜ୍ଜ୍ୱଳ କଲେ । ଆନନ୍ଦ ରୋଳରେ ବିଶାଳ ପ୍ରାଙ୍ଗଣ ପୂରି ଉଠିଲା । ଆତ୍ମୀୟା ପ୍ରତିବେଶିନୀ ସମସ୍ତେ କନ୍ୟାକୁ ଦେଖିବାକୁ ଧାଇଁ ଆସିଲେ । ବୃଦ୍ଧ ପିତାମହ ସାକ୍ଷାତ୍ ଅନ୍ନପୂର୍ଣ୍ଣା ମୂର୍ତ୍ତି ଭାବ ଭକ୍ତିବିହ୍ୱଳ ହୋଇ ନୟନରୁ ଆନନ୍ଦାଶ୍ରୁ ବୁହାଇଲେ ।

 

ପ୍ରଭାତର ଫୁଲ, ଶରତର ଫୁଲ, ପୂଜାର ଫୁଲ, ମା'ର କଣ୍ଠମାଳା;-ନାମ ଦିଆଗଲା ଶେଫାଳିକା । ହରିହରଙ୍କ ଇଚ୍ଛାକ୍ରମେ ନାମ ଦିଆଗଲା ଶେଫାଳିକା । ଶେଫାଳୀକାକୁ ଜଗଦମ୍ୱାଙ୍କର ଅମଳକମଳ ଚରଣ−ତଳେ ଉତ୍ସର୍ଗ କରି ବୃଦ୍ଧ ଦୀନବନ୍ଧୁ ଓ ତଦୀୟ ପୁତ୍ର ହରିହର କୃତକୃତ୍ୟ ହେଲେ । ଇନ୍ଦୁମୁଖୀର ଲଜ୍ଜା କଳଙ୍କ ଦୂରୀଭୂତ ହେଲା । ମାତୃତ୍ୱର ଆକାଙ୍‍କ୍ଷା ପୂର୍ଣ୍ଣ ହେଲା ।

 

ଶାରଦୀୟା ଶଶିକଳା ତୁଲ୍ୟ ଶେଫାଳୀ ଦିନକୁ ଦିନ ବୃଦ୍ଧି ପ୍ରାପ୍ତ ହେଲା । ତାହାର ଅନ୍ନପ୍ରାଶନ ଦିନ ଭକ୍ତ ଦୀନବନ୍ଧୁ ସର୍ବସମ୍ମତିକ୍ରମେ ଶିଶୁ କନ୍ୟାଟିର ସୁକୋମଳ ହସ୍ତ ଅନୁର ସୁକୁମାର ହସ୍ତରେ ଧରାଇ ଦେଲେ । ଜୟତକ୍‌କା ବାଜି ଉଠିଲା ।

 

ପିଲାଖେଳ ପରି ଅଭିନବ ବିବାହ ହୋଇଗଲା । ହରିହର ଓ ଇନ୍ଦୁମୁଖୀଙ୍କର ଆନନ୍ଦ ପୂର୍ଣ୍ଣ ହେଲା । ଘନଶ୍ୟାମଙ୍କ ଆଶା ସଫଳ ହେଲା । ସେହି ଦିନୁ ଗୋଟିଏ ବୃନ୍ତରେ ଯୋଡ଼ିଏ ଫୁଲ ପରି ଅନୁ ଓ ଶେଫାଳୀ ବଢ଼ିବାକୁ ଲାଗିଲେ । ଶିଶୁଦ୍ୱୟର କଳହାସ୍ୟଧ୍ୱନିରେ ବୃହତ୍ ପ୍ରାଙ୍ଗଣ ମୁଖରିତ ହେଲା । ଏତେ ସୁଖ ! ଇନ୍ଦୁ ଏତେ ସୁଖର କଥା କଳ୍ପନା କରି ନ ଥିଲେ । ବାଳକ ବାଳିକାଙ୍କୁ ଅନାଇ ତାଙ୍କ ହୃଦୟ ଉଛୁଳି ଉଠେ । ଉଭୟେ ତାହାର, ଏ କ୍ଷୁଦ୍ର ଦମ୍ପତ୍ତି ତାହାର ସର୍ବଶ୍ରେଷ୍ଠ ସମ୍ପତ୍ତି, ଅମୂଲ୍ୟଧନ । ଉଭୟେ ଖେଳୁ ଖେଳୁ ମାତାଙ୍କ କୋଳକୁ ଡେଇଁ ପଡ଼ନ୍ତି । ଅଙ୍କାସନ ସକାଶେ ବିବାଦ କରନ୍ତି; କାରଣ ଇନ୍ଦୁ ଉଭୟେଙ୍କର ମାତା ।

 

ଶେଫାଳୀର ଜନ୍ମର ତିନିବର୍ଷ ପରେ ହଠାତ୍ ବିସୂଚିକାରେ ଘନଶ୍ୟାମ ବାବୁଙ୍କର ମୃତ୍ୟୁ ହେଲା । ଉପଯୁକ୍ତ ଦେବାନଙ୍କୁ ହରାଇ ସମସ୍ତ ପ୍ରଜା ହାହାକାର କରିବାକୁ ଲାଗିଲେ । ଅନୁ ପିତୃହୀନ ହେଲା

 

 

ବର୍ତ୍ତମାନ ଶେଫାଳୀର ବୟସ ଦଶବର୍ଷ । ଅନୁର ବୟସ ତେର । ଅନୁ ସ୍ଥାନୀୟ ସ୍କୁଲର ଶେଷ ଶ୍ରେଣୀରେ ପଢ଼େ । ତାହାର ଶିକ୍ଷା ପାଇଁ ଜମିଦାର ବାବୁଙ୍କର ବିଶେଷ ଯତ୍ନ; ଗୃହରେ ମାଷ୍ଟର ରଖାଇ ଭାବୀ ଜାମାତାକୁ ଶିକ୍ଷା ଦେବାରେ ତ୍ରୁଟି କରନ୍ତି ନାହିଁ । ସେ ଆଧୁନିକ ରୁଚିସମ୍ପନ୍ନ ବ୍ୟକ୍ତି; ମାତ୍ର ଏକାବେଳକେ ଦେଶୀ ସାହେବ ନୁହନ୍ତି । ତାଙ୍କର ପରିବାର ନିର୍ଦୋଷ ହିନ୍ଦୁ ପରିବାର ହେଲେ ମଧ୍ୟ ସ୍ୱପ୍ରତିଷ୍ଠିତ ବାଳିକା ବିଦ୍ୟାଳୟରେ ଶେଫାଳୀର ପଠନରେ ବାଧା ନାହିଁ । ସେ ଦକ୍ଷତାସହକାରେ ଅପର ପ୍ରାଇମେରୀ ପାସ୍ କରିଅଛି । ସୂଚୀବିଦ୍ୟା, କଳାବିଦ୍ୟା, ରନ୍ଧନବିଦ୍ୟାରେ ପଟୁତା ଲାଭ କରିଅଛି ।

 

ତାହାର ପିତା ବହୁ ବ୍ୟୟରେ, ବହୁ ଅନୁସନ୍ଧାନରେ ସରଯୂ ନାମ୍ନୀ ଜନୈକା ଭଦ୍ରବଂଶୀୟା ବିଧବା ମହିଳାଙ୍କୁ କଲିକତାରୁ ଅଣାଇ ଗୃହରେ କନ୍ୟାକୁ ନାନା ବିଷୟରେ ଶିକ୍ଷା ଦେବାର ବ୍ୟବସ୍ଥା କରିଅଛନ୍ତି । ଶେଫାଳୀ ଜମିଦାରୀର ଭାବୀ ଉତ୍ତରାଧି−କାରିଣୀ, ସେ ଜ୍ଞାନବତୀ କର୍ମକୁଶଳା ଏବଂ ସୁଗୃହିଣୀ ହେବ, ଏହାହିଁ ତାଙ୍କର ଇଚ୍ଛା । ଇନ୍ଦୁମୁଖୀ ହିନ୍ଦୁ ନାରୀର ଚୁଡ଼ାନ୍ତ ଆଦର୍ଶ ସ୍ୱରୂପ ନ ହେଲେହେଁ, ଅତିଶୟ ନମ୍ରପ୍ରକୃତି ଓ ସ୍ୱାମୀ ପ୍ରତି ଏକାନ୍ତ ଭକ୍ତିମତୀ । ସେ ସରଳା, ଛନ୍ଦ କପଟ ତାଙ୍କୁ ଅଜଣା; ଶେଫାଳୀ ତାଙ୍କ ନୟନର ମଣି ସ୍ୱରୂପ, ତାହାକୁ ଅତି ଯତ୍ନରେ ପାଳନ କରିବା ଓ ସୁଶିକ୍ଷା ଦେୂା ତାଙ୍କର ନିତ୍ୟବ୍ରତ ।

 

( ୨ )

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ପ୍ରାୟ । ଉପାଧାନରେ ଈଷତ୍ ଆଉଜି ପଡ଼ି ଅନୁ ଏକଦୃଷ୍ଟିରେ ଶେଫାଳୀକୁ ଅନାଇ−ଅଛି । ଉଭୟେ ଏକାକୀ; ମାତ୍ର ପରସ୍ପରର କି ସମ୍ୱନ୍ଧ ଉଭୟେ ଅଜ୍ଞାତ । ଭ୍ରାତା ଭଗିନୀ ତୁଲ୍ୟ ବା ତତୋଽଧିକ ପରପସ୍ପ ପ୍ରତି ଅନୁରକ୍ତ । ଅନୁ ଜାଣେ ସେ ଶେଫାଳୀର ଭ୍ରାତା ନୁହେ, ଶେଫାଳୀ ବିଶେଷ କିଛି ଜାଣେ ନାହିଁ । ଶେଫାଳୀର ସ୍ୱଭାବଗତ ବିଶେଷ ଦୋଷ, ସେ ବଡ଼ କ୍ରୋଧୀ । କ୍ରୋଧ ସମୟରେ ସେ ଜ୍ଞାନଶୂନ୍ୟ ହୁଏ । ଯାହା ମୁହଁରେ ଆସେ ତାହାହିଁ କହିଯାଏ । ମାତ୍ର ସେତିକି । ଦୁଇଦଣ୍ଡ ପରେ ସବୁ ଭୁଲିଯାଏ । ଅନୁ ତଦ୍‌ବିପରୀତ, ଶାନ୍ତ ଓ ଦୃଢ଼; ମାତ୍ର ଶେଫାଳୀକୁ ଚିଡ଼ାଇବା ତାହାର ରୋଗ । କଥାକଥାକେ ତାକୁ ବିରକ୍ତକରିବା ତାହାର ବିଶେଷ ଆମୋଦ ଓ ପ୍ରଧାନ ସୁଖ ।

 

ତାହାର କ୍ଷତ ଆରୋଗ୍ୟ ହୋଇ ଗଲାଣି । ସାମାନ୍ୟ ଦୁର୍ବଳ ମାତ୍ର । ପ୍ରାୟ ସବୁବେଳେ ବିଛଣାରେ ଉଠି ବସିଥାଏ ଏବଂ ଶେଫାଳୀ ସହିତ ଗଳ୍ପ କରେ । ବର୍ତ୍ତମାନ ସନ୍ଧ୍ୟାରେ ସୁଦ୍ଧା ସେହି କାର୍ଯ୍ୟ ଲାଗିଅଛି । ଅନୁ ଗଳ୍ପ କରୁଅଛି, ଅନର୍ଗଳ ବକି ଯାଉଅଛି; ମାତ୍ର ସେଥିରେ ଶେଫାଳୀର ମନୋଯୋଗ ଥିଲାପରି ଜଣାଯାଉ ନାହିଁ । ତାହାର ମୁଖ ଭାରି ଗମ୍ଭୀର । କାରଣ ଦୁଇଦିନ ହେଲା ଉଭୟଙ୍କର କଳହ ହୋଇଅଛି । ସେଥିପାଇଁ ପରସ୍ପରର ବାକ୍ୟାଳାପ ନାହିଁ । ଏଥି ପୂର୍ବରେ ମଧ୍ୟ ବାରମ୍ବାର କଳହ ଲାଗୁଥିଲା; ମୀମାଂସା କରୁଥିଲେ ବୃଦ୍ଧ ଦୀନବନ୍ଧୁ । ଏକବର୍ଷ ହେଲା ତାଙ୍କର କାଳ ହେବାରୁ ମୀମାଂସକ କେହି ନାହିଁ । ସେମାନେ କଳହ କରନ୍ତି, ରୁଷାରୁଷି ହୁଅନ୍ତି, ଏକସପ୍ତାହ ବା ଏକପକ୍ଷ ବାକ୍ୟାଳାପ ବନ୍ଦ କରନ୍ତି, ପୁଣି ନିଜେ ନିଜେ ମିଶନ୍ତି । ଆଜି ମଧ୍ୟ ସେହିପରି କଳହର ପ୍ରଧାନ କର୍ତ୍ତା ଅନୁ । ସେ ଶେଫାଳୀକି ଗର୍ବୀ ଆଖ୍ୟା ପ୍ରଦାନ କରିଅଛି । ଗର୍ବିତା ସୁନ୍ଦର ବଦନ ନତ କରି ବସିଅଛି । କଳହର କର୍ତ୍ତା କାରଣ ବୁଝି ପାରିଅଛି । ଯାହାହେଉ ବର୍ତ୍ତମାନ ଯେଉଁ ଭୂତ ଧରିଅଛି, ତାକୁ ଝାଡ଼ିବା ଆବଶ୍ୟକ । ଚତୁର ଗୁଣିଆ ମନ୍ତ୍ର ପ୍ରୟୋଗ ଆରମ୍ଭ କଲା । ଗଳ୍ପ ସ୍ରୋତ ବନ୍ଦ ହେଲା । ନିତାନ୍ତ ଶୁଷ୍କ ମୁଖରେ ମୁହଁ ଫେରାଇ ଶୟନ କଲା । ଏକମିନିଟ, ଦୁଇମିନିଟ, ଦଶମିନିଟ କଟିଗଲା, ଶେଫାଳୀର ଅସହ୍ୟ ହେଲା, ସେ ନ ଜାଣିଲା ପରି ତାକୁ ଚିମୁଟି ଦେଲା । ହଠାତ୍ ଚମକିପଡ଼ି ଅନୁ ଉଠି ବସିଲା, “ମୋତେ ବିଛା କାମୁ−ଡ଼ିଲା !” ତକିଆ ବିଛଣା ସମସ୍ତ ଲେଉଟାଇ ପକାଇଲା, ତାହାର ମୁଖରେ ଭୟର ଚିହ୍ନ । ଶେଫାଳୀ ହାସ୍ୟ ସମ୍ୱରଣ କରି ପାରିଲା ନାହିଁ । ଦୁଇଦିନର ରାଗ ଉଭେଇ ଗଲା । ହସି ହସି ଗୃହାନ୍ତରକୁ ପଳାଇଲା ।

 

ଅନୁ ଡାକିଲା; ସହାସ୍ୟ ବଦନରେ ଶେଫାଳୀ ଉପସ୍ଥିତ ହେଲା; ହସ୍ତରେ ପିତୃପ୍ରଦତ୍ତ ପୁତ୍ତଳିକା, ଅତି ସୁନ୍ଦର ଚିନିବାସନର କୁଣ୍ଡେଇ । ଗର୍ବିତା ଅହଙ୍କାରରେ ଫୁଲି ଉଠି ପିତୃ ଉପହାର ଅନୁକୁ ଦେଖାଇଲା । ଅନୁର ଭାରି ହିଂସା ହେଲା; ପରସ୍ପର ଛଡ଼ାଛଡ଼ି ଆରମ୍ଭ କଲେ, ହରି ବାବୁ ଆସି କଳହ ମୀମାଂସା କରିବାକୁ ପ୍ରବୃତ୍ତ ହେଲେ । ଅଭିମାନୀ ଅନୁ କିଛି ପାଇ ନାହିଁ । ତାହାର ଚକ୍ଷୁ ଲୋତକରେ ଛଳଛଳ । ମୁଖ ତଳକୁ କରି କହିଲା, “ବାବା, ମୋର କଣ କିଛି ନାହିଁ ?”

 

ଗୋଟିଏ ସୁନ୍ଦର ଫାଉଣ୍ଟେନ୍ ପେନ୍ ଆଉ ଆହ୍ଲାଦର ସୀମା ନାହିଁ । ବାବା କଲିକତାରୁ ମଗାଇଥିଲେ ଶେଫାଳୀର କୁଣ୍ଡେଇ; ସେ ଖେଳଘର ଭାତ କରିବ, ପୁଅ ବିଭା କରିବ, ଆଉ ଅନୁ ସ୍କୁଲ ଛାତ୍ର, ତାହାର ଫାଉଣ୍ଟେନ୍ ପେନ୍, ସେ ଲେଖାଲେଖି

 

କରିବ । ମାତ୍ର ଏତିକି ନୁହେ । ପୁଣି ଆସିଲା । ଭୃତ୍ୟ ବୃହତ୍ ପାର୍ଶଲ ବାକ୍‌ସଟା ଦେଇଗଲା । ଗୋଟିଏ ଗୋଟିଏ ସୁନ୍ଦର ପଦାର୍ଥ ବାହାରି ପଡ଼ିଲା । ଶେଫାଶଳୀର କୁଣ୍ଡେଇ, କୁଣ୍ଡେଇ ସାଜ, ମେଜ, ଚୌକୀ, ଖଟ, ଆଲମାରୀ, ବାସନ, ପିଆଲା ପିରିଚ, ପୁଣି ବ୍ୟାବହାରିକ ସିଲାଇ ବାକ୍‌ସ, ଚିତ୍ର ଆଲବମ୍, ସେଣ୍ଟ୍, ସାବୁନ, ଫିତା, କାଚ ଇତ୍ୟାଦି, ଇତ୍ୟାଦି । ଶେଫାଳୀର ଏତେ, ଆଉ ଅନୁର ଏପର୍ଯ୍ୟନ୍ତ ଗୋଟାଏ ହେଲେ ପଦାର୍ଥ ବାହାରିଲା ନାହିଁ । ଛାର ଫାଉଣ୍ଟେନ୍ ପେନ୍ ମାତ୍ର । ଅନୁ ନିରାଶ ହେଲା । ନା, ନା, ଅନୁର ବାକ୍‌ସ ବାହାରିଲା । ରବର, କାଳି, ଦୁଆତ, ନିବ୍, କାଚ କଲମ, ପେନସିଲକଟା କଳ । ଆଉ ଅତି ସୁନ୍ଦର, ଅତିପ୍ରିୟ, ଅନୁର ବିଶେଷ ପ୍ରାର୍ଥିତ, ହଳେ ବାଦାମୀ ଯୋତା, କଲିକତାର ତିଆରି ଇଙ୍ଗ୍ଲିସ୍ ସୁ । ଆଉ ତା ପଛକୁ ଗାଟର, ଗେଞ୍ଜି, ମୋଜା ! ଶେଫାଳୀର ମୁଖ ଶୁଖିଗଲା । ଅନୁର ଏତେ ଆସିଛି, ତାର ଛାର କୁଣ୍ଡେଇ କେତୋଟି ! ଅଭିମାନିନୀ କାନ୍ଦି ପକାଇଲା; ମାତ୍ର ହଠାତ୍ ଏ କଣ ! ସୁନ୍ଦର ସେମିଜ୍, କ୍ଷୁଦ୍ର ପେଟି କୋଟ୍, ଛୋଟ ଜାକେଟ । ଏଥର ଉଭୟଙ୍କର ଆନନ୍ଦ ପୂର୍ଣ୍ଣ । ପୂଜା ଛୁଟି ନିକଟ, ପୂଜାର ଆୟୋଜନ ହେଲାଣି ! ପିଲାଙ୍କର ପୂଜା ଉପହାର କଲିକତାରୁ ଆସିଲା । ପିଲାମାନଙ୍କର ଦେଖା ସରିଲା । ଭୃତ୍ୟ ଦୋଳି

 

ଆଲମାରୀରେ ବନ୍ଦ କଲା । ଶେଫାଳୀ ଓ ଅନୁ କଳହ ଭୁଲିଗଲେ । ଶେଫାଳୀ ଚିନ୍ତିତା ହୋଇ ପଡ଼ିଲା, ପୁଅ ଆସିଛି, ଝିଅ ଆସିଛି, ବାହାଘର ହେବ । କଣ କଣ କରିବ, କେତେ ଲୋକ ନିମନ୍ତ୍ରଣ କରିବ, କଣ କଣ ରାନ୍ଧିବ, ଏ ସବୁ ସେ ଠିକ୍ କରି ପାରୁ ନାହିଁ । ବଡ଼ ବ୍ୟସ୍ତ ! ବାହାଘର କଣ ସାମାନ୍ୟ କଥା ! ଦୁଇ ଦୁଇଟା ପୁଅ ଝିଅ । ବଡ଼ ବୋଝ । ବିଚାରୀ ଅନୁର ଶରଣ ନେଲା । ବିଜ୍ଞବୃଦ୍ଧ ଅନୁ ତାହାର ଚିନ୍ତାରେ ବିଚଳିତ ହେବାର କୌଣସି କାରଣ ନ ପାଇ କହିଲେ, “ଏହି କଥା, ମୁଁ ସବୁ ହିସାବ ପତ୍ର ରଖିବି,

 

ନିମନ୍ତ୍ରଣ କରିବାକୁ ଯିବି, ମୋର ଫାଉଣ୍ଟେନ୍ ପେନ୍‍ରେ ଲେଖିବି ଏକା । ଆଉ ଦେଖ ଶିଉଳି, ତୋର ଏତେ କାମ କରିବି, ଆଗତୁରା କିଛି ବହିନା ନ ଦେଲେ ଚଳିବ ନାହିଁ ।” ଚତୁରା ଶେଫାଳୀ ବୁଝିଲା, “ହଁ ହଁ, ଘୁଡ଼ି ଉଡ଼େଇବୁ, ପଇସା ମାଗୁଛୁ । ଥାଉ ତୋ କାମ, ମାଳତୀ ଅପା କରିଦେବ ।”

 

ଶେଫାଳୀକୁ ବହଳାଇ ଅନୁ କହିଲା, “ଦେଖ ଶିଉଳି, ମାଳତୀଅପା ମୂର୍ଖ । ମୁଁ ଇଙ୍ଗ୍ରାଜୀରେ ହିସାବ ଲେଖିବି; ଆଉ ଝିଅ ଶାଶୁଘରକୁ ଗଲେ ତାକୁ ଛାଡ଼ିବାକୁ ଯିବି, ଜାଣୁ, ମୋର ନୂଆ ଯୋତା, ଗେଞ୍ଜି କମିଜ ସବୁ ସେ ଦିନ ପିନ୍ଧିବି । ଯେତେ ହେଲେ ବାହାଘର ।”

 

ସତ କଥା, ଯେତେହେଲେ ବାହା ଘର, ସେହିକ୍ଷଣି କାଗଜ କଲମ ଆସିଲା, ବାହାଘର ନିମତ୍ରଣ ଫର୍ଦ୍ଦ ହେଲା, ପ୍ରଥମ ବାବା, ଦ୍ୱିତୀୟ ବୋଉ, ତୃତୀୟ ମାଳତୀଅପା ଘର, ଚତୁର୍ଥ ସେବତୀ ନାନୀ ଘର, ପଞ୍ଚମ ବରକର୍ତ୍ତ୍ରୀ ଜାନକୀ ଘର, ଷଷ୍ଠ କନ୍ୟାକର୍ତ୍ତ୍ରୀ ଚମ୍ପା ଘର । ସବୁ ହେଲା, ସମସ୍ତେ ନିମତ୍ରିତ ହେଲେ । ଇଚ୍ଛାରେ ହେଉ ବା ଭୁଲରେ ହେଉ ଶେଫାଳୀ ଅନୁ ନାମ ଛାଡ଼ି ଗଲା । କାର୍ଯ୍ୟ ଶେଷ ହେଲା, ରାଗରେ ଅନୁ ମୁହଁ ଫୁଲାଇଲା । “ରଖ ଲୋ ତୋ ବାହାଘର, ଏତେ କାମ କରିବି, ମୋତେ ପୁଣି ନିମତ୍ରଣ ନାହିଁ ! ବିନା ନିମନ୍ତ୍ରଣରେ ତୋ ଘରେ ଖାଇବାକୁ ଯିବି ? ମୁଁ କଣ ଏକଘରକିୟା ?”

 

“ହଁ, ହଁ, ତୋ ନାଁ ଲେଖ ।” ଉତ୍ସୁକ ଭାବରେ ଭୀତା ଶେଫାଳୀ କହିଲା, ପଛେ ଅନୁ କଳହ କରିବ, ବାହାଦିନ ଅନର୍ଥ ଘଟାଇବ । କାରଣ ସେଥିରେ ସେ ବିଶେଷ ପଟୁ, ଶେଫାଳୀର ମୃତ୍ତିକା ଗୃହ, ଛୋଟ ଛୋଟ ଚୁଲ୍ଲୀ ଭାଙ୍ଗିବାରେ ବଡ଼ ପାରଗ । ଅଲକ୍ଷ୍ୟରେ ତରକାରୀରେ ଅଯଥା ଲୁଣ ଦେଇ ଥରେ ଶେଫାଳୀକୁ ବିବ୍ରତ କରିଥିବା କଥା ସେ ଭୁଲି ନାହିଁ ।

 

କାର୍ଯ୍ୟ ଶେଷ ହେଲା, ଅନୁର ପ୍ରାପ୍ୟ ଦୁଇଗଣ୍ଡା ପଇସା, ଶେଫାଳୀ ବଡ଼ କଷ୍ଟରେ ଆଣି ଦେଲା । ଉପାଧାନ ତଳେ ଯତ୍ନରେ ରକ୍ଷା କରି ଅନୁ ଶୟନ କଲା । ଅନୁ ଗାଢ଼ ନିଦ୍ରାଭିଭୂତ, ଧୀରେ ହାତ ଗଳାଇ ଶେଫାଳୀ ପାଇସାତକ ନେଇ ପଳାଇ ଗଲା । ସକାଳେ ଉଠି ଅନୁ ତକିଆତକ ଖୋଜିଲା, ପଇସାର ଚିହ୍ନି ବର୍ଣ୍ଣ ନାହିଁ ।

 

( ୩ )

 

ସେ ସୁଖମୟ ବାଲ୍ୟକାଳ ଅତୀତ । ଶେଫାଳୀକୁ କନ୍ଦାଇ ତାକୁ ସଙ୍ଗିହୀନ କରି ଅନଙ୍ଗ ମାଇନର ପାଶ୍ ପରେ କଟକ ଚାଲି ଯାଇଅଛି । ଛୁଟି ଆଦିରେ ଆସେ । ଆଗପରି ଖେଳାଖେଳି କରେ ନାହିଁ । ଦିବା ରାତ୍ର ପଢ଼ୁଥାଏ । ଅନୁର ବିଚ୍ଛେଦରେ ପ୍ରଥମେ ପ୍ରଥମେ ଶେଫାଳୀ ଅତିଶୟ କାତର ହେଉଥିଲା; ମାନ୍ତ୍ର ଆଜି−କାଲି ସହି ଗଲାଣି । ଅନୁ କଟକ ଗଲେ ସେ ଦିନ ଗଣୁଥାଏ, କେବେ ଆସିବ । କଟକ ବେଶି ଦୂର ନୁହେ । ସେଥିପାଇଁ ଯେ କୌଣସି ବଡ଼ ଛୁଟିରେ ଅନୁଗୃହକୁ ଆସି ପାରେ । ଶେଫାଳୀ ଦିନ ଗଣେ । ଦୋଳ ଗଲା । ପୁଣି ଖରାଛିଟି; ସେ ଗଲା-ପୁଣି ମହରମ- ପୁଣି ପୂଜା;-ପୁଣି ବଡଦିନ । କୌଣସି କୌଣସି ଶନିବାର ମଧ୍ୟ ଆସି ରବିବାରକୁ ଚାଲିଯାଏ; ମାନ୍ତ୍ର ଶେଫାଳୀ ଦିନ ଗଣୁଥାଏ । ଅନୁ ଗଲା ପରେ ତାହାର ଦିନଗୁଡ଼ାକ ବଡ଼ ହୋଇଯାଏ, ସରେ ନାହିଁ; ମାନ୍ତ୍ର ସେ ଧୈର୍ଯ୍ୟ ଧରି ଦିନ ଗଣୁଥାଏ ।

 

ଅନୁର ଏଣ୍ଟ୍ରାନ୍‍ସ ପରୀକ୍ଷା ଶେଷ ହୋଇଅଛି; ପ୍ରଥମ ଶ୍ରେଣୀରେ ପାଶ୍ କରି ବୃତ୍ତି ପାଇଅଛି । ଛୁଟି ଶେଷ ହୋଇ ଆସିଲାଣି, କଲିକତା କଲେଜକୁ ଯିବାକୁ ସମସ୍ତ ସାମଗ୍ରୀ ପ୍ରସ୍ତୁତ । ମଧ୍ୟରେ ଦୁଇଦିନ ବ୍ୟବଧାନ, ତାହାର ହୃଦୟରେ ଯୁଗପତ୍ ହର୍ଷ ଓ ବିଷାଦ ଉପସ୍ଥିତ । ଛୁଟିର ଦୀର୍ଘ ଦୁଇନାସ ଗୃହରେ ଅବସ୍ଥାନ କଲାପରେ ପ୍ରିୟ ପିତା, ମାତା ଓ ଶେଫାଳୀକୁ ଛାଡ଼ି ଯିବାକୁ ମନ ବଳୁନାହିଁ । ମାନ୍ତ୍ର ସେ ପିଲା ନୁହେଁ । ସପ୍ତଦଶ ବର୍ଷ ବୟସ୍କ କିଶୋର ବାଳକ । ଆପଣାର ଭବିଷ୍ୟତ୍

 

ଭାବୁଅଛି, ମାନ୍ତ୍ର କାହିଁକି କେଜାଣି ଗୋଟିଏ ସୁନ୍ଦର ମୁଖ ଘନ ଘନ ତାହାର ଆଖି ଆଗରେ ଭାସି ଉଠୁଅଛି । ତାହାର ମନଟା ଚଞ୍ଚଳ ହେଉଅଛି । ପୁଣି ପରକ୍ଷଣରେ ଅଦୁଷ୍ଟପୂର୍ବ କଲିକତା ମହାନଗରୀର କାଳ୍ପନିକ ସୌନ୍ଦର୍ଯ୍ୟ ବିଷୟ ଭାବି ମନ ଉତ୍ସକ ହୋଇ

ଉଠୁଅଛି ।

 

ଅନୁ ଭାବୁଅଛି ନାନା କଥା । ହଠାତ୍ ପଶ୍ଚାଦ୍ଦିଗରୁ କିଏ ଆସି କୋମଳ ବୀଣାବିନିନ୍ଦିତ କଣ୍ଠରେ ତାକୁ ଆହ୍ୱାନ କଲା । ବାଳକ ମୁଖ ଫେରାଇଲା । ସମ୍ମୁଖରେ ସ୍ନେହରୂପିଣୀ ଶେଫାଳୀ କଣ କହିବ କହିବ, କହି ପାରୁ ନାହିଁ । ଅନୁ ଆଶ୍ଚର୍ଯ୍ୟ ହେଲା । ପ୍ରଫୁଲ୍ଲ ପଦ୍ମାନନା ଶେଫାଳୀ ମୁଖରେ ଏତେବଡ଼ ବିଷାଦର ଘନ ମେଘାବରଣ କେବେ ସେ ଦେଖି ନାହିଁ । ମଧ୍ୟ ଆଜି−କାଲି ଶେଫାଳୀ ବିଶେଷ ଗମ୍ଭୀରା । ହଠାତ୍ ତାହାର ଏକ ଦୁଃଖ ? ତାକୁ ନୀରବ ଦେଖି ଅନୁ ପଚାରିଲା, “ଶିଉଳି, କଣପାଇଁ ମୁହଁ ଶୁଖାଇଛୁ ?” କିଛିକ୍ଷଣ ଶେଫାଳୀ ଉତ୍ତର ଦେଇ ପାରିଲା ନାହିଁ । ମନ ମଧ୍ୟରେ କିଛି ଗୋଟାଏ ଖୋଜିଲା । “ତୁ କଲିକତା ଯିବୁ” ଏହା କହି ଚକ୍ଷୁରୁ ଲୁହ ଝର ଝର ବୁହାଇଲା । ଅନୁ ତ ଅବାକ୍ ! “ଏ କଣ ଶିଉଳି ?” ଆଦର କରି ପିଠି ଆଉଁଷି ଅନୁ ପଚାରିଲା । ବହୁକ୍ଷଣ ଶେଫାଳୀ କିଛି କହିପାରିଲା ନାହିଁ । ଅନେକ କଷ୍ଟରେ ଆତ୍ମସମ୍ଭରଣ କରି କହିଲା, “ଅନୁ, ମୁଁ ଭାବିଥିଲି, ତୋର କଟକ ପଢ଼ା ସରିଲେ ତୁ ଘରେ ରହିବୁ, ତୁ କଲିକତା ଯିବୁ କାହିଁକି, ଆଉ ନ ପଢ଼ିଲେ ? ଅନୁ ହସିଲା, କିଛିକ୍ଷଣ ପରେ ସମବେଦନାପୂରିତ କଣ୍ଠରେ କହିଲା, “କାହିଁକି ଆଉ ପଢ଼ିବ ନାହିଁ ? ମୁଁ ବୃତ୍ତି ପାଉଛି; ପଢିବି, ବି.ଏ. ପାଶ୍ କରିବି, ଗ୍ରାଜୁଏଟ ହେବି, ଆମ ଘରର ନାଁ ହେବ । ହୁଣ୍ଡା ମୂର୍ଖ ପରି ଘରେ ବସି ରହିଲେ ସମସ୍ତେ ହସିବେ ।”

 

ଅଭିମାନରେ ଶେଫାଳୀ କହିଲା, “ତୁ କଣ ହୁଣ୍ଡା ମୂର୍ଖ ? ଆମ ଗାଁରେ ତ କେହି ପାଶ୍ କରିନାହିଁ । ତୁ ଏତିକି ପାଶ କଲୁ, ହେଲା ନାହିଁ ? କଣ ଚାକିରି କରିବୁ ? ତୁ ଚାଲିଗଲେ ମତେ ଭଲ ଲାଗିବ ନାହିଁ । କଲିକତା ଏତେ ଦୂର, ତୁ କଣ ସବୁ ଛୁଟିରେ ଆସି ପାରିବୁ ?”

 

ଅନୁ-ମୁଁ ନ ଆସିବି ଏବେ ।

ଶେଫାଳୀ-ନାହିଁ ନାହିଁ, ମତେ ଭଲ ଲାଗିବ ନାହିଁ ।

 

ଅନୁ-ଆରେ, ତତେ ଭଲ ଲାଗିବ ନାହିଁ ବୋଲି କଣ ମୁଁ ପାଠ ଛାଡ଼ି ଆସିବି ? ମତେ କିଏ ପୋଷିବ ?

 

ଶେଫାଳୀ ଆଶ୍ଚର୍ଯ୍ୟ ହୋଇ କହିଲା-କାହିଁକି ବାବା ପୋଷିବେ । ଏତେଦିନ କିଏ ପୋଷିଲା ? ବାବା ତ ?

 

ଅନୁ-ବାବା ପୋଷିବେ ସତ; ମାନ୍ତ୍ର ପଢ଼ିବା କଣ ମନ୍ଦ ? ମୋର ବି, ଏ, ପାଶ୍ ହେଲେ ତୁ ଖୁସି ହେବୁ ନାହିଁ ?

 

ଶେଫାଳୀ ନିର୍ବୋଧ ପରି କହିଲା-ନା, ତୁ କଲିକତା ଯାଇ ବି, ଏ, ପାଶ୍ କରିବୁ, ଚାରିବର୍ଷ ପରେ ଆସିବୁ, ମୁଁ ଖୁସି ହେବି ନାହିଁ । ସରଯୁ ଦି କହୁଥିଲେ କଲିକତା ଅଦ୍ଭୁତ ସହର । ସେଠାକାର ଲୋକେ ଦୁଷ୍ଟ, ଠକ, ମିଛ କହନ୍ତି । ତୁ ଏକା ସେଠି କେମିତି ରହିବୁ ? ମୋର ଭାରି ଭୟ, ଚୋର ଯଦି ତୋତେ କାଟେ !

 

ଅନୁ ପୁଣି ହସିଲା–ମୂର୍ଖ, ଏ ପରା ଇଙ୍ଗ୍ରାଜ ରାଜ୍ୟ ! କିଛି ଭୟ ନାହିଁ । ମୁଁ କଲିକତା ଗଲେ ତୋ ପାଇଁ ଶଙ୍ଖା ପଠାଇବି, କେତେ ସୁନ୍ଦର ସୁନ୍ଦର କାଚ ପଠାଇବି, ଯାହା ଭଲ ଦେଖିବି ପଠାଇବି । କଲିକତା କଣ ଏମିତି ସେମିତି ! ଆମ ଦେଶରେ ଦିନ ରାତି ଦୁଇଟା ଅଛି, ସେଠାରେ ଖାଲି ଦିନ, ବିଜୁଳିବତୀର ଆଲୁଅରେ ରାତି କିଏ ଦିନ କିଏ ଚିହ୍ନି ହେବ ନାହିଁ । ଏଠି ଆମର ଖଣ୍ଡେ ଖଣ୍ଡେ କୋଠା, ସେଠି ସମସ୍ତଙ୍କର କୋଠା ଘର । ଏଠି ଆମେ କୂଅରୁ ପାଣି ଖାଉ, ସେଠି କଳପାଣି-! ଆଉ କେତେ କହିବି, କଲିକତା ଭାରି ସୁନ୍ଦର, ଭାରି ବଡ଼ ସହର, ସେଠିକାର ଲୋକେ ଖୁବ୍ ଭଲ-

 

ଏହିପରି ଅନୁ କଲିକତା ସମ୍ବନ୍ଧୀୟ ଶ୍ରୁତପୂର୍ବ କଥାଗୁଡ଼ିକ ଆବୃତ୍ତି କରିବାକୁ ଲାଗିଲା, ଶେଫାଳୀ ନୀରବରେ ଶୁଣିଲା; ତଥାପି ତାହାର ମନରେ ଶାନ୍ତି ହେଲା ନାହିଁ ।

 

ଦିନ ଗଲା, ରାତି ହେଲା; ରାତି ଗଲା, ଦିନ ହେଲା । ଆଜି ଅନୁ କଲିକତା ପଥର ପଥିକ ହେଲା । ମନର ଦୁଃଖ ମନରେ ମାରି ହରିହର, ଇନ୍ଦୁମୁଖୀ ଓ ଶେଫାଳୀ ସ୍ନେହର ଅନୁକୁ ପଠାଇ ଦେଲେ । ଆଖିରୁ କଷ୍ଟରେ ଲୋତକ ସମ୍ବରଣ କଲେ, କାଳେ ବାଳକର ଅମଙ୍ଗଳ ହୁଏ । ଏହିପରି ମାସ ଦିନ ବହିବାକୁ ଲାଗିଲା । ଶେଫାଳୀର ହୃଦୟ ବଡ଼ ଶୂନ୍ୟ ବୋଧ ହେଲା । ବଡ଼ କଷ୍ଟରେ ସେ ନ କାନ୍ଦି ରହିଲା, କ୍ରମେ ତାହା ମଧ୍ୟ ସହ୍ୟ ହୋଇ ଗଲା । ପୂଜାଛୁଟି ଆସିଲା, ଅନୁ ଆସିଲା, ପୁଣି ଗ୍ରୀଷ୍ନାବକାଶ ଆସିଲା, ଅନୁ ଆସିଲା, ତାକୁ କଲିକତାର ଅସଂଖ୍ୟ ଗଳ୍ପ ଶୁଣାଇଲା । ଅନେକ ପଦାର୍ଥ ଆଣି ଦେଲା ।

 

ଅନୁର ଏଫ୍. ଏ. ପାଶ୍ ହୋଅଛି । ବର୍ତ୍ତମାନ ସେ ବି. ଏ. କ୍ଲାସର ଛାତ୍ର; ତାହାର ଇଚ୍ଛା ଓକାଲତୀ ମଧ୍ୟ ପଢ଼ିବ । ପିତାଙ୍କୁ ଲେଖିଲା । ସ୍ୱାସ୍ଥ୍ୟହାନି ଭୟରେ ପ୍ରଥମେ ହରିହର ଅନୁମତି ଦେବାକୁ ଇତସ୍ତତଃ କଲେ; ମାତ୍ର ବାଳକର ଆଗ୍ରହାତିଶଯ୍ୟ ଦେଖି ଅବଶେଷରେ ସମ୍ମତ ହେଲେ । ଅନୁ ଦୃଢ଼ପ୍ରତିଜ୍ଞା ସହ ଏକାନ୍ତ ଅଧ୍ୟୟନ କରିବାକୁ କଲିକତାରେ ରହିଲା ।

 

( ୪ )

 

ସାନନ୍ଦ ଦାସର ପରିବାର ଛଳ ଚାତୁରୀରେ ବିଶେଷ ପଟୁ । ତାହାର ସ୍ତ୍ରୀ, ପୁତ୍ର, କନ୍ୟା ଓ ନିଜେ ଗୃହବିଚ୍ଛେଦ ଘଟାଇବା ବିଷୟରେ ସିଦ୍ଧହସ୍ତ । ତାହାର ଯୋଡ଼ିଏ କନ୍ୟା । ଜ୍ୟେଷ୍ଠା ସୁକୁମାରୀର ବହୁକାଳ ହେଲା ବିବାହ ହୋଇ ଯାଇଅଛି । କନିଷ୍ଠା ମାଳତୀ ଏପର୍ଯ୍ୟନ୍ତ ଅବିବାହିତା । ତାହାର ଅପସ୍ମାର (ଫିଟ୍) ବେରାମି, ସମୟ ସମୟରେ ମୂର୍ଚ୍ଛା ହୁଏ । ଏହି କାରଣରୁ ମଧ୍ୟ ତାହାର ବିବାହ ସ୍ଥଗିତ ହୋଇ ପାରନ୍ତା ନାହିଁ; ମାତ୍ର ଚୂଡ଼ା ଉପରେ ମୟୂରପୁଚ୍ଛ ପରି ତାହାର ଏପରି ଗୋଟିଏ କୁତ୍ସିତ ରୋଗ ଛଡ଼ା ଆଖିରେ କଦାକାର ଫୁଲା ପଡ଼ିଅଛି । ସାନନ୍ଦର ପରମ ହିତୈଷୀ ଭ୍ରାତା ନବକିଶୋର ଦାସଙ୍କ ପତ୍ନୀ ଉକ୍ତି ଦିଓଟି କାରଣ ହେତୁରୁ ପରମ ଆତ୍ମୀୟତା ପ୍ରକାଶ କରି ମାଳତୀର ସବୁ ବର ବାହୁଡ଼ାନ୍ତି ଏବଂ କେବେ କୌଣସି ବୃଦ୍ଧା ଗୋପନରେ କନ୍ୟାଟିର ବିଷୟ ପଚାରିବାକୁ ଆସିଲେ ମାଳତୀର ରୂପ ଗୁଣ ସାଳଙ୍କାରରେ ବର୍ଣ୍ଣନା କରନ୍ତି । ଶ୍ରୋତା ବିମୁଖ ହୁଏ ।

 

ମାଳତୀ ବିବାହ ହୋଇ ନାହିଁ । ବୟସ କିନ୍ତୁ ଅନେକ ହେଲାଣି । ଚିନ୍ତା କ’ଣ, ତାଙ୍କ ଘରେ ବାଡ଼ୁଅ କନ୍ୟା ଅନେକ ବର୍ଷ ରହିଥାନ୍ତି । ମାଳତୀ କିନ୍ତୁ ସମୟ ସମୟରେ ଚିନ୍ତା କରେ । ନିଜର ବିବାହ ବିଷୟ ଚିନ୍ତା କରିବା ବିଂଶବର୍ଷିୟା ଯୁବତୀ ପକ୍ଷରେ ଆଶ୍ଚର୍ଯ୍ୟର ବିଷୟ ନୁହେଁ । ସେହି କେବଳ ଚିନ୍ତା କରେ ତାହା ନୁହେ, ଆହୁରି ଚିନ୍ତା କରେ ଜଣେ, ସେ ତାହାର ମାତା । ଉଭୟଙ୍କ ଇଚ୍ଛା ତାହାର ଶୀଘ୍ର ବିବାହ ହେଉ । ପାତ୍ର ମଧ୍ୟ ସ୍ଥିର । କେହି ଶୁଣି ଅସମ୍ଭବ ଜ୍ଞାନ କରିବେ ନାହିଁତ ? ମନୋନୀତ ପାତ୍ରଟି ଅନଙ୍ଗମୋହନ ।

 

ଅନଙ୍ଗ ଜମିଦାରପୁତ୍ର ନୁହେଁ; ଶେଫାଳୀର ବାଗ୍‌ଦତ୍ତା ବର, ଏହା ତ ରାଜ୍ୟର ଲୋକେ ଜାଣନ୍ତି ନାହିଁ । ଜାଣନ୍ତି କେବଳ ଚାରି ବ୍ୟକ୍ତି; ଦୀନବନ୍ଧୁ, ଘନଶ୍ୟାମ ସ୍ୱର୍ଗରେ, ହରି ଓ ଇନ୍ଦୁ ପୃଥିବୀରେ । ଆଉ କେହି ଜାଣନ୍ତି ନାହିଁ । ସମସ୍ତେ ଭାବନ୍ତି, ଅନୁ ଜମି−

ଦାରଙ୍କ ଆଶ୍ରିତ । ସଦାଶୟ ଜମିଦାର ତାକୁ ଯୋଗ୍ୟ କରି ଧର୍ମାର୍ଜନ କରୁଅଛନ୍ତି । ମୃତ ଘନଶ୍ୟାମର ବିଶ୍ୱସ୍ତ କାର୍ଯ୍ୟର ପୁରଷ୍କାର ।

 

ଯେ ଯାହା ଭାବୁ ପଛକେ, ଶେଫାଳୀ ଓ ଅନୁଙ୍କର ମାଳତୀ ଘନିଷ୍ଠ ସଙ୍ଗୀ, ସେ ଉଭୟଙ୍କର ମାଳତୀ ଅପା । ମାଳତୀ ବାଳକ ବାଳିକାଙ୍କର ସମଗ୍ର ଗତିବିଧି ଲକ୍ଷ୍ୟ କରିଅଛି । ଅନୁକୁ ସେ ପ୍ରାଣାଧିକ ସ୍ନେହ କରେ; ମାତ୍ର ଅନୁ ଦରିଦ୍ର ବାଳକ, ତାହାର ଏଡ଼େ ସ୍ପର୍ଦ୍ଧା, ନିଜର ସମକକ୍ଷା ମାଳତୀକୁ ସ୍ନେହ ନକରି ବାମନ ଚାନ୍ଦ ଧରିଲା ଭଳି ଅନୁ ଶେଫାଳୀର ଭକ୍ତ । ଏହା ମାଳତୀର ଅତ୍ୟନ୍ତ ଅସହ୍ୟ । ଏକେ ଶେଫାଳୀ ସୁନ୍ଦରୀ, ତଦୁପରି ଐଶ୍ୱର୍ଯ୍ୟଶାଳିନୀ ଜମିଦାରଦୁହିତା, ଗହଣାରେ ଝଲମଲ, ପାଟ ଲଗାରେ ଶରୀର ଉଜ୍ଜ୍ୱଳ । ପୁଣି ବିଶେଷ ସୁକୁମାରୀ, ମାତା ପିତାର ଏକାନ୍ତ ଆଦରିଣୀ, ମାଳତୀ ତାହାର ଦାସୀ, ମାଳତୀର ବଡ଼ ଈର୍ଷା, ବିଶେଷ କ୍ରୋଧ--ଏ ତ ବାଳିକା, ସେ ତ ବାଳିକା; ମାତ୍ର “କାହିଁ ରାଣୀ, କାହିଁ ଚନ୍ଦ୍ରକାଣୀ ।”

 

ମାଳତୀ ଶେଫାଳୀ ସହିତ ମୌଖିକ ବିଶେଷ ମଧୁର କଥା କହିଲେ ସୁଦ୍ଧା ତାକୁ ହିଂସା କରେ । ହିଂସାର ବିଷୟ ଅନେକ-ଶେଫାଳୀର ରୂପ, ଶେଫାଳୀର ସୁନ୍ଦର କେଶରାଶି-ତାହାର ଅସଂଖ୍ୟ ମଣିମାଣିକ୍ୟଖଚିତ ଅଳଙ୍କାର, ସୁନ୍ଦର ସୁନ୍ଦର ପାଟ− ବନାରସୀ ଲୁଗା, ଖଟିବାକୁ ଗୋଡ଼ତଳେ କେତେ ଦାସୀ । ତାହା ଉପରେ ପୁଣି, ଅନଙ୍ଗମୋହନ, ଅତି ରୂପବାନ୍, ଗୁଣବାନ୍, ଅତି ପ୍ରିୟ ଜଗତର ସମୁଦାୟ ବସ୍ତୁ ଅପେକ୍ଷା ସୁନ୍ଦର ଅନଙ୍ଗମୋହନ, ସେ ପୁଣି ଶେଫାଳୀକୁ ଆଦର କରେ । ଆଉ ମାଳତୀକୁ ? ଘୃଣା କରେ । ନିଜେ ପରାନ୍ନପାଳିତ ହୋଇ ସୁଦ୍ଧା ମାଳତୀକୁ ଦାସୀ ତୁଲ୍ୟ ମନେ କରେ । ଏହା ମାଳତୀର, ମାଳତୀର ମାତା ପିତା ଓ ଭ୍ରାତାମାନଙ୍କର ଅସହ୍ୟ । ହାୟ ! ନିର୍ବୋଧ ଶେଫାଳୀ, ମାଳତୀକୁ ସେ ପୁଣି ଅତ୍ୟନ୍ତ ଭଲ ପାଏ ।

 

ଦୁଇବର୍ଷ ବିତିଗଲା, ଅନଙ୍ଗ ଗୃହକୁ ଫେରି ନାହିଁ । ତାହାର ବିଚ୍ଛେଦ ଏତେ ଦୀର୍ଘ ଅଦର୍ଶନ ପରେ ଶେଫାଳୀକୁ ତେତେ ଅଧିକ ବାଧୁ ନାହିଁ । ଆଜି କାଲି ତାହାର ବିଶେଷ ସଙ୍ଗିନୀ ମାଳତୀ । ସକାଳ ଓ ସନ୍ଧ୍ୟା ସରଯୂ ଦିଦି ନିକଟରେ ଅତିବାହିତ କରି ଦୀର୍ଘ ମଧ୍ୟାହ୍ନ ବାଳିକାଦ୍ୱୟ ଏକତ୍ର କଟାନ୍ତି । ଶେଫାଳୀ ବର୍ତ୍ତମାନ ଯୁବତୀ । ତାହାର ରୂପ−ନଦୀ ତରଙ୍ଗାୟିତ, କୂଳ ଉଛୁଳି ପଡ଼ୁଛି । ପ୍ରିୟସଖୀ ମାଳତୀ ଦିବାରାତ୍ର ତାହାର ରୂପ ବର୍ଣ୍ଣନା କରି ଶେଫାଳୀକୁ ସନ୍ତୁଷ୍ଟକରିବାର ପ୍ରୟାସ କରେ । ନାରୀର ରୂପ ବୋଧହୁଏ ତାହାର ସର୍ବାଧିକ ପ୍ରିୟ । ରୂପର ପ୍ରଶଂସା ଶୁଣିବାକୁ କେଉଁ ନାରୀ ଉଦ୍‌ଗ୍ରୀବ ନୁହେ; ରୂପ କୁତ୍ସାରେ କିଏ ମର୍ମାହତା ହୁଏ ନାହିଁ ? ଶେଫାଳୀର ସବୁ ଅଛି, ରୂପ ଅଛି, ଗୁଣ ଅଛି, ଧନ ଅଛି, ମାନ ଅଛି, ଅତୁଳନୀୟ ଯୌବନ ଅଛି । ଶେଫାଳୀର କଣ ନାହିଁ ? ତୋଷାମଦପଟୁ ମାଳତୀର ବର୍ଣ୍ଣନାପାଇଁ ଶେଫାଳୀର କଣ ନାହିଁ ? ଶେଫାଳୀ ରାଜକୁମାରୀ, ଐଶ୍ୱର୍ଯ୍ୟଶାଳିନୀ; ଆଉ ଅନୁ ? ସେ ତାହାର ପିତାର ଆଶ୍ରିତ ଏକ ପିତୃମାତୃ−ହୀନ ଅନାଥ ଦରିଦ୍ର ବାଳକ । ତାହାର କୁଳଶୀଳ, ବଂଶଗୋତ୍ର କିଛି ଜଣା ନାହିଁ । ତାହାର ଏକାନ୍ତ ହୀନାବସ୍ଥା ବିବୃତ କରି ଶେଫାଳୀ ହୃଦୟରେ ଅନୁ ପ୍ରତି ବିଚାର ଜନ୍ମାଇବାହିଁ ମାଳତୀର ମୁଖ୍ୟ ଉଦ୍ଦେଶ୍ୟ ।

 

ହଠାତ୍ ତାହାର ଉଦ୍ଦେଶ୍ୟସିଦ୍ଧିର ଏକ ଅପୂର୍ବ ସୁଯୋଗ ଉପସ୍ଥିତ ହେଲା । ଶେଫାଳୀ ଲାଗି ନାନାସ୍ଥାନରୁ ସମ୍ବନ୍ଧ ଆସିବାକୁ ଲାଗିଲା । ସାନନ୍ଦ ଦାସ ଏହି ସୁଯୋଗରେ ଶେଫାଳୀକୁ କୌଣସି ସ୍ଥାନରେ ବିବାହ କରାଇବାକୁ ପ୍ରାଣପଣେ ଚେଷ୍ଟା କରିବାକୁ ଲାଗିଲେ-। ମାଳତୀ ଓ ଅନୁର ମିଳନ ପଥର କଣ୍ଟକ ଶେଫାଳୀକୁ ଦୂର କରିବା ବର୍ତ୍ତମାନ ସାନନ୍ଦ ପରିବାରର ପ୍ରଧାନ ଚିନ୍ତା-

 

ଦିନେ ସିଲାଇ କରୁ କରୁ ଶେଫାଳୀ ଅନୁ ବିଷୟ ଭାବୁଅଛି, ଏତେ ଦିନ ହେଲା, ଦୁଇବର୍ଷ ପୂର୍ଣ୍ଣ ହେଲା, ଅନୁ ତ କୌଣସି ଛୁଟିରେ ଆସିଲା ନାହିଁ, କେବେ ତାର ଓକାଲତୀ ପରୀକ୍ଷା ଶେଷ ହେବ, ସେ ଆସିବ-ଭାବନାରେ ବିଘ୍ନ ପଡ଼ିଲା; ହଠାତ୍ ମାଳତୀ ଆସି ପଶ୍ଚାଦ୍ଦିଗରୁ ତାହାର ଚକ୍ଷୁ ଦିଓଟି ହସ୍ତାବୃତ କଲା । “ଆଲୋ ମାଳ, ବସ୍” ଏହା କହି ମୁଁ ହ ବୁଲାଇ ଶେଫାଳୀ ପ୍ରିୟତମ ବନ୍ଧୁର ସଂବର୍ଦ୍ଧନା କଲା । ମାଳତୀ ବସିଲା, ଏକଥା ସେ କଥା ହେଲା, କ୍ରମେ ଗଳ୍ପ ଜମିଲା, ବର୍ତ୍ତମାନ ମୂଳକଥା କହିବାର ସୁଯୋଗ ମିଳିଲା । ମାଳତୀ ଆରମ୍ଭ କଲା- ‘ସହି, ଗୋଟାଏ କଥା ଶୁଣୁଛି ?” ଶେ-ସହି, କିସ କଥା ? ମା-ସହି, ବେଙ୍ଗୁଲୀ ମଥା । ଆଲୋ ଶୁଣ୍, ନୂଆଗାଁ ସାଆନ୍ତ ଘରୁ ତୋ ପାଇଁ ଖବର ଆସିଲାଣି । କିଛି ନ ଜାଣିଲା ପରି ଶେଫାଳୀ କହିଲା, ‘ କି ଖବର ଲୋ’ ? ମା-ବାହାଘର କଥା ଲୋ, ନୂଆଗାଁ ସାଆନ୍ତଙ୍କ ବୋହୂ ହେବୁ ଲୋ !

 

ଶେଫାଳୀ ବିବାହ କଥାରେ ବିଶେଷ ସଂକୁଚିତା ହୋଇ କହିଲା, “ମାଳ, ତୋର ସବୁବେଳେ ସେହି କଥା, ଆଉ କିଛି କଥା ନାହିଁ ?” ମାଳତୀ ବଡ଼ ଆଦରରେ କହିଲା, ‘ଆମ ଦେଈ ଆଉ ଗଣ୍ଡାଏ ଛଅଟା ମାସ ପରେ ଯାଇଁ ପରଘର କରିବେ । ଆଜିଠଉଁ ଆମର ବାହୁନା ଲାଗିବ, “ଆଗୋ ସହି ସଙ୍ଗାତେ-ମନେ ରଖିବ ମୋତେ-।”

 

‘ବସ୍’, ବାଧା ଦେଇ ଶେଫାଳୀ ତାହାର ହାତ ଟାଣି ଧରିଲା । କିଛିକ୍ଷଣ ପରେ ପଚାରିଲା, “କଥାଟା ସତ ?”“ସତ ନୁହେ । ମୋ ରାଣ । ମୋ ବୋଉଠୁ ଶୁଣିଥିଲି ପରା । ଆମ ବାପା ସାଆନ୍ତେ, ମା ସାଆନ୍ତାଣୀ ହଁ ଭରିଲେଣି, ଦିନ ମାସ କଥା ଛିଡ଼ିଲାଣି, ସବୁ ଠିକ୍ ହେଲାଣି । ତୋ ରୂପ ତୋ ଗୁଣ ଶୁଣିଲେ ତ ରଜାପୁଅ ଝୁରିବେ । ଏକା ନୂଆଗାଁ ସାଆନ୍ତ ଘର ତୋ ବାପା ସାଆନ୍ତ କାନ୍ଧକୁ କାନ୍ଧ । ବୋଉ କହୁଥିଲା, ତାଙ୍କର କୁଆଡ଼େ ଲକ୍ଷେ ଭରଣ ଧାନରେ ସୁନା କଳସ ବସେ, ଗୋଠରେ ହଜାର ହଜାର ଗାଈ ଗୋରୁ ବଳଦ-ଛେଳି ମେଣ୍ଢା, ଆଉ ଧନ−ସମ୍ପତ୍ତି ତ ରଜାଘରୁ ବଳି-।” ଏଥର ତୁନି ତୁନି କାନରେ କହିଲା, “ବର ନାଁ ନଟବର । ଭାରି ସୁନ୍ଦର-ବାବା ଆମର ଦେଖିଥିଲେ, ଭାରି ଭଲ, ପାଶ୍ କରିଛି, ଦେଖ ସହି, କାହାକୁ କହିବୁ ନାହିଁଟି, ଗୁପ୍ତ କଥା-ଭାରି ଗୁପ୍ତ-ବାପା ଯାଇଥିଲେ ନୂଆଗାଁ, ବାପା ସାଆନ୍ତ ପଠାଇଥିଲେ ବରଘର ଓର ନବାକୁ-ଆଚ୍ଛା ମଣିଷ, ଏମିତି ମିଳାପୀ, ତୋ କଥା ପଚାରିଥାଲେ, “ଆମ ଜେମା ପରୀ” ବାପା କହିଲେ; କେତେ କଥା ହେଲାଣି, ତୁ ହୁଣ୍ଡୀ କିଛି ଜାଣି ନାହୁଁ ।” କିନ୍ତୁ ଏତେ କଥାରେ ସୁଦ୍ଧା ଶେଫାଳୀର ବିଶେଷ ଉତ୍ସାହ ଦେଖାଗଲା ନାହିଁ । ତାହାର କେ ଜାଣି କାହିଁକି ଘନ ଘନ ଅନୁକଥା ମନେ ପଡ଼ିଲା; କିନ୍ତୁ ଧର୍ମଶୀଳା, ସୁଚରିତ୍ରା ଶେଫାଳୀ ଭୁଲରେ ସୁଦ୍ଧା ଭ୍ରାତା ତୁଲ୍ୟ ଅନୁକୁ ହୃଦୟରେ ସ୍ଥାନ ଦେଲା ନାହିଁ ।

 

( ୫ )

 

ଶେଫାଳୀ ଆଶ୍ଚର୍ଯ୍ୟ ହୋଇ ଲକ୍ଷ୍ୟ କରୁଅଛି‚ ଗୃହରେ ନାନା ଆୟୋଜନ ଉଦ୍‌ଯୋଗ ଲାଗିଅଛି । କୌଣସି ବିଶେଷ କାର୍ଯ୍ୟ ସକାଶେ ଯେପରି ସମସ୍ତେ ବ୍ୟସ୍ତ । ଜମିଦାରୀରୁ ଭାର ଭାର ତଣ୍ଡୁଳ, ଉତ୍କୃଷ୍ଟ ଗବ୍ୟ ଘୃତ, ମସଲା, ନାନା ଶିଳ୍ପ ପଣ୍ୟଦ୍ରବ୍ୟରେ ଭଣ୍ଡାର ଘର ପୂର୍ଣ୍ଣ । ମାଳତୀ କଥାରେ ତାହାର କିଞ୍ଚିତ୍ ବିଶ୍ୱାସ ହେଲା । ହଠାତ୍ ଦିନେ ଦାସୀ ଆସି ତାହାର ଅଳଙ୍କାର ସାଜ ଫିଟାଇ ମାପ ଆଦି ନେଇ ଗଲା । ଏ କଣ ତେବେ ସତେ ତାହାର ବିବାହ ଉତ୍ସବର ପୂର୍ବ ଲକ୍ଷଣ ? ଲାଜ କଥା, ସେ କାହାକୁ ପଚାରିବ ? କେବଳ ଏକମାତ୍ର ମାଳତୀ, ମାଳତୀର କଥା ନିଶ୍ଚୟ ସତ୍ୟ । ମାଳତୀ ନିଶ୍ଚୟ ଠିକ ଖବର ଜାଣେ । ଆଜିକାଲି ଉଭୟଙ୍କର ଛାଡ଼ ବାଡ଼ ନାହିଁ । ଦିନରେ, ସନ୍ଧ୍ୟାରେ, ଉଦ୍ୟାନରେ, ପୁଷ୍କରିଣୀ ତଟରେ ଦୁଇ ସଙ୍ଗୀ ମନ ସୁଖରେ ଗଳ୍ପନିରତା, ‘ସଂସର୍ଗଜା ଦୋଷଗୁଣା ଭବନ୍ତି ।’ ଶେଫାଳୀର ସ୍ୱଭାବ ପରିବର୍ତ୍ତନ ହୋଇଅଛି । କୋମଳ, ବିନୀତା ବାଳିକା ଅହଂକାରିଣୀ ରୂପଗର୍ବିଣୀ ତୋଷାମୋଦପ୍ରିୟା ହେଲାଣି, ପଢ଼ାପଢ଼ିରେ ତାହାର ମନ ନାହିଁ । ନିର୍ବୋଧ ବାଳିକା ମନେ ମନେ ନିଜକୁ କଳ୍ପିତ ନୂଆଗାଁ ଜମିଦାରଙ୍କ ଭାବୀ ବଧୂସ୍ଥିର କରି ଆନନ୍ଦିତା-। ଅଗ୍ନିକୁ ଇନ୍ଧନ ଯୋଗାଇ ମାଳତୀ କ୍ରମେ ବର୍ଦ୍ଧିତ କରୁଅଛି ।

 

ଶେଫାଳୀ ଆଉ ଶେଫାଳୀ ନୁହେ । ତାହାର ସ୍ୱଭାବ, ତାହାର ରୀତିନୀତି ପରିବର୍ତ୍ତିତ । କ୍ଷୁଦ୍ର ଝରୁଝୁରା ଗଙ୍ଗଶିଉଳୀ ଆଜିକାଲି ଉନ୍ମତ୍ତା, ଦର୍ପିତା ଓ ଚାଟୁ ପ୍ରିୟା । ମାଳତୀ ଛଡ଼ା ତାହାର ଆଉ କାହାକୁ ଭଲ ଲାଗେ ନାହିଁ । ଅନୁ କଥା ବିଶେଷ ମନେ ପଡ଼େନାହିଁ । ମନେ ପଡ଼ୁଅଛି ନଟବର-କଳ୍ପିତ ଶ୍ୟାମ ସୁନ୍ଦର ନଟବର । ତାହାର କଳ୍ପିତ ଧନୈଶ୍ୱର୍ଯ୍ୟ, କଳ୍ପିତ କୁଳମର୍ଯ୍ୟାଦା, କଳ୍ପିତ ରୂପ ଗୁଣ ଅହଂକାରିଣୀ ଶେଫାଳିକା ମାଳତୀ ମୁଖରେ ଓ ନିଜ ମନୋମଧ୍ୟରେ ଉପଭୋଗ କରି ସୁଖଲାଳସା ବୃଦ୍ଧି କରୁଅଛି । ଜମିଦାରଙ୍କ କନ୍ୟା, ଜମିଦାର ଗୃହର ବଧୂ ହେବ, ଏହାହିଁ ତ ବିଧିସଙ୍ଗତ । ରାଜପୁତ୍ରୀ ରାଜ−ପୁତ୍ରର ପାଣିଗ୍ରହଣ କରିବ, ଏହାହିଁ ତ ସଂସାରାନୁ−ମୋଦିତ । ଧନଶାଳିନୀ ଧନୈଶ୍ୱର୍ଯ୍ୟଶାଳୀ ଶୂରପ୍ରତାପ ସାମନ୍ତ ନଟବରଚନ୍ଦ୍ର ରାଉତରାୟଙ୍କର ଗୃହିଣୀ ହେବ, ଏହାହିଁତ ସମ୍ମାନର ବିଷୟ । ବିଷବୀଜ ରୋପଣକାରିଣୀ ମାଳତୀର ଅଭିଷ୍ଟ ସିଦ୍ଧ ହୋଇଅଛି । ଆଜିକାଲି ଶେଫାଳୀ ନଟବର କଥା ଶୁଣିବାକୁ ଭଲ ପାଏ । ତାହାର ଧନ ଓ ପ୍ରତାପର ଗଳ୍ପ ଶୁଣୁ ଶୁଣୁ ବିଭୋରା ହୁଏ । ତାହାର ଚକ୍ଷୁରେ ବିଦ୍ୟୁତ୍ ବିକାଶ ହୁଏ । ମାଳତୀ ଲକ୍ଷ୍ୟକରି ମନେ ମନେ ହାସ୍ୟ କରେ ଏବଂ ନିର୍ବିବାଦରେ ଅନଙ୍ଗମୋହନର କଳ୍ପିତ କୁଞ୍ଜ–କୁଟୀରର ରାଣୀ ହୋଇ ସୁଖାନୁଭବ କରେ ।

 

( ୬ )

 

ଓକିଲାତି ପରୀକ୍ଷା ଶେଷ ହୋଇଅଛି । ଦୀର୍ଘ ପ୍ରବାସର ଅବସାନ ପରେ ପାଠଶ୍ରମଶୀର୍ଣ୍ଣ, ଗୁଣବାନ୍, ବିନୟୀ, ସାଧୁ ପ୍ରକୃତି ଅନୁ ଆସି ପିତୃତୁଲ୍ୟ ହରିହର ଛୋଟରାୟଙ୍କ ଶ୍ରୀଚରଣରେ ପ୍ରଣାମ କଲା । ତାହାରମୁଖଶ୍ରୀକୁ ଅନାଇ ହରିହର ତୃପ୍ତ ହେଲେ, ମନେ ମନେ ଅସଂଖ୍ୟ ଆଶୀର୍ବାଦ କଲେ । ଅନ୍ତରାଳରୁ ଭାବୀ ଜାମାତା ସର୍ବଗୁଣସମ୍ପନ୍ନ ଓ ଅନୁଗତ ଅନଙ୍ଗର ବଦନେନ୍ଦୁକୁ ନିରୀକ୍ଷଣ କରି ଇନ୍ଦୁମୁଖୀ ତୃପ୍ତ ହେଲେ । ତାଙ୍କ ହୃଦୟରେ ଶେଫାଳୀ ଓ ଅନୁର ଯୁଗଳମୂର୍ତ୍ତି ଫୁଟି ଉଠିଲା । ବାଲ୍ୟର ସେ ଯୁଗଳମୂର୍ତ୍ତି ଅଙ୍କାସନ ସକାଶେ ବିବାଦପ୍ରବୃତ୍ତ କ୍ଷୁଦ୍ର ପୁଷ୍ପକଳିକା ତୁଲ୍ୟ କୋମଳ ଶିଶୁ ଦିଓଟି, ଆଉ ଯୌବନର ଏ ଯୁଗଳ ମୂର୍ତ୍ତି । ଅନୁ ଯୁବକ-ତାହାର ବୟସ ଦ୍ୱାବିଂଶ ଅତିକ୍ରମ କରିବ ।

 

ଏତେ ଅଳ୍ପ ବୟସରେ ସେ ଓକିଲ ବି.ଏଲ୍. ପାଶ୍ । ଆଉ ଏଥିରୁ ବଳି କଣ ଆନନ୍ଦ ଅଛି? ସେ ପୁଣି ଶେଫାଳୀର ସ୍ୱାମୀ, ଇନ୍ଦୁଙ୍କର ଜ୍ୱାଇଁ ।

 

ଅନ୍ତରାଳରୁ ଆଉ ଜଣେ ରମଣୀ ଦର୍ଶନ କଲା । ସେ ମାଳତୀର ମାତା ଦୁର୍ଗାବତୀ । ଅନଙ୍ଗ ସତେ ତାର ଜ୍ୱାଇଁ ହେବ ! ଆଶା ଓ ବିଶ୍ୱାସ ତାହାକୁ ଆକୁଳ କରି ପକାଇଲା । ଶେଫାଳୀ ଯଦି ନୂଆଗାଁର ବୋହୂ ହୁଏ, ତେବେ କୁଳୀନ ସାନନ୍ଦ ପରିବାର କନ୍ୟାକୁ ଅନଙ୍ଗ କିପାଁ ବିବାହ ନ କରିବ ? ମାତା ଦୃଷ୍ଟିରେ ମାଳତୀ ଅତି ସୁନ୍ଦରୀ । କେଉଁ ମା ସନ୍ତାନକୁ କୁତ୍ସିତ ଦେଖେ !

 

କିନ୍ତୁ ଯାହାକୁ ଦର୍ଶନ କରିବାକୁ ଅନୁର ଏକାନ୍ତ ଆକାଙ୍‍କ୍ଷା, ସେହି ଶେଫାଳୀକୁ ପ୍ରଥମ ଦର୍ଶନ କରି ହଠାତ୍ ତାହାର ହୃଦୟରେ ଦାରୁଣ ଆଘାତ ଲାଗିଲା ! ଏ କଣ ! ତାହାର ସରଳା, କୋମଳହୃଦୟା, ଏକାନ୍ତ ଅନୁଗତା ଶେଫାଳୀ ? ତାହାର ହୃଦୟରେ ପୂର୍ବର ସ୍ନେହ ଓ ଆଦର ନାହିଁ କହିଲେ ଚଳେ । ଶେଫାଳୀ ତାଙ୍କୁ ଓଳିକି ହେଲା । ସ୍ୱଭାବସୁଲଭ ‘ତୁ’ ବଦଳରେ ବଡ଼ ସଂକୋଚରେ ‘ତୁମେ’ କହିଲା । ସେ ତ ଭାବିଥିଲା ଶେଫାଳୀ ଦୌଡ଼ିଯାଇ ଦେଖା କରିବ, ଆଦରରେ କଥା ଉପରେ କଥା ପଚାରିବ, କାହିଁ ଶେଫାଳୀ ତାହା ତ କିଛି କଲା ନାହିଁ । ଲଜ୍ଜାରେ ସଂକୋଚରେ ଓଳିକି ହେଲା, ପଦେ ଦୁଇପଦ କଥା ପଚାରିଲା, ଚାଲିଗଲା; ଅନୁ କଣ ଶେଫାଳୀଠାରୁ ଏହାହିଁ ପ୍ରତ୍ୟାଶା କରିଥିଲା ? ଦୀର୍ଘ ତିନିବର୍ଷ ବିଚ୍ଛେଦ ପରେ ପ୍ରଥମ ଦର୍ଶନରେ କଣ ଏହିପରି ଉଦାସୀନତାର କଥା ଭାବିଥିଲା ? ହାବଡ଼ା ଷ୍ଟେସନରେ ଟ୍ରେନରେ ଚଢ଼ୁ ଚଢ଼ୁ ଗୋଟିଏ ଗୀତ ଶୁଣିଥିଲା-ତାହାର ମନକୁ ଆସିଥିଲା, କୋମଳ ହୃଦୟତନ୍ତ୍ରୀରେ ବାଜି ଉଠୁଥିଲା, “ଆମାର କୁଟୀରରାଣୀ-ସେ ଯେ ଗୋ-ଆମାର ହୃଦୟରାଣୀ ।”

କିନ୍ତୁ ସେହି କଳ୍ପିତ କୁଟୀରରାଣୀ ତାହାର ସମ ଦର କଲା ନାହିଁ, ଅଭ୍ୟର୍ଥନା କଲା ନାହିଁ । କେବଳ ଗୋଟିଏ ଓଳିକି ! ଅଭିମାନରେ ଅନୁର ନୟନପଲ୍ଲବ ଆର୍ଦ୍ର ହୋଇଗଲା । ଅନୁ ସମ୍ଭାଳି ନେଲା । “ନା, ଏ ଯୌବନ−ସୁଲଭ ସଂକୋଚ-କୁଳକାମିନୀର ଭୂଷଣ ଲଜ୍ଜା ।’’ ଅନୁ ଟିକିଏ ଆଶ୍ୱସ୍ତ ହେଲା । ମାତ୍ର ଯେତେ ଦିନ ଗଡ଼ିଲା, ଅନୁ ତେତେ ଏ ପାର୍ଥକ୍ୟ ବୁଝି ପାରିଲା । ଏ ଶେଫାଳୀ ବର୍ଷତ୍ରୟ ପୂର୍ବର ଶେଫାଳୀ ନୁହେଁ । ଯୁବକ ଆବେଗରେ ଭାବିଲା, “ଗଙ୍ଗଶିଉଳି ! କି ଖରା ଲାଗି ତୁ ଗଲୁ ମଉଳି !” ସତ କଥା, ଶେଫାଳୀର ଶେଫାଳୀତ୍ୱ ନାହିଁ । ତାହାର ପ୍ରାଣରେ ଅନୁ ପ୍ରତି ବିଶେଷ ମମତା ନାହିଁ । ନଟବର ଚିନ୍ତାରେ ହୃଦୟ ପୂର୍ଣ୍ଣ । ଅନୁର

 

ପ୍ରାଣରେ ବିଷମ ବେଦନା । ଶେଫାଳୀର କଥା କଥାକେ ଅନ୍ୟସ୍ଥା, ପଦେ ପଦେ ଅନାଦର, ତାହା ବୁଦ୍ଧିମାନ୍ ଯୁବକ ବୁଝି ପାରିଲା, ତାହାର ପ୍ରାଣ ଫାଟିଗଲା । ଗୋଟିଏ ଦୀର୍ଘଶ୍ୱାସ ହୃଦୟକନ୍ଦର ଧ୍ୱନିତ ଓ ବିଦୀର୍ଣ୍ଣ କରି ବାହାରିଲା ।

 

କିନ୍ତୁ ସେତିକି, ବାହାରେ ତାହାର ଚାଞ୍ଚଲ୍ୟ ପ୍ରକାଶିତ ହେଲାନାହିଁ । ଗୃହ ତାକୁ ଭଲ ଲାଗିଲା ନାହିଁ, ଅନୁ ସକାଳ ସନ୍ଧ୍ୟା ନଦୀ ତଟରେ ବୁଲିବାକୁ ଲାଗିଲା । ଜମିଦାର ହରିହର ବାବୁ ଦୀର୍ଘ ପରିଶ୍ରମ ପରେ ବିଶ୍ରାମ ଓ ବ୍ୟସନ ପ୍ରୟୋଜନ ଭାବି ଅନୁକୁ

କୌଣସି କାର୍ଯ୍ୟ କରିବାକୁ ଅନୁରୋଧ କଲେ ନାହିଁ । ଅନୁକୁ ଅବ୍ୟାହତି ମିଳିଲା । ଏହି ଭ୍ରମଣର ସଙ୍ଗୀ ସ୍ୱରୂପ ହଠାତ୍ ଆସି ମିଳିଲେ ସାନନ୍ଦଙ୍କ ପୁତ୍ରଦ୍ୱୟ- ଗଣନାଥ ଓ ଗୋପୀନାଥ । ଉଭୟେ ପ୍ରାୟ ଅନୁର ସମବୟସ୍କ । ଏକାନ୍ତ ସଙ୍ଗିହୀନ ସ୍ଥଳରେ ଉଭୟଙ୍କ ସାହଚର୍ଯ୍ୟ ଅନୁକୁ ଭଲ ଲାଗିଲା । ‘ବିଷକୁମ୍ଭଃ ପୟୋମୁଖଃ’ ଗଣନାଥ ଓ ଗୋପୀନାଥ ଶୀଘ୍ର ଅନୁକୁ ସୌହାର୍ଦ୍ଦ୍ୟରେ ବଶୀଭୂତ କରି ପକାଇଲେ । ପ୍ରାଣର କଥା ବାହାରିଲା-ଶେଫାଳୀର ବିବାହ ପ୍ରସଙ୍ଗ- ନବଗ୍ରାମ ଜମିଦାର ଗୃହର ବିବରଣ-ସାମନ୍ତ ନଟବରଚନ୍ଦ୍ର ରାଉତରାୟଙ୍କ ଗୁଣଗ୍ରାମ । ଅନଙ୍ଗମୋହନ ସ୍ତବ୍‌ଧ ହେଲା, ତାହାର ହୃଦୟରେ କିଏ ବରଫ ଜଳ ଢାଳି ଦେଲା ମାତ୍ର ଆହୁରି ଅଛି, ଅନୁ-ଆହୁରି ! ପୁତ୍ରଦ୍ୱୟଙ୍କ ଚକ୍ରାନ୍ତରେ ଯୋଗ ଦେଲେ ବୃଦ୍ଧ ସାନନ୍ଦ ଆଉ ସର୍ବଗୁଣାଳଙ୍କୃତା ମାଳତୀ ।

 

ସାନ୍ଧ୍ୟ ସମୀର ସେବନ କରୁ ଅନୁ ପୁଷ୍କରିଣୀ ତଟରେ ଉପସ୍ଥିତ । ତାହାର ଶରୀର ଅସୁସ୍ଥ ବୋଧ ହେବାରୁ ନଦୀତଟ ଭ୍ରମଣାର୍ଥ ବହିର୍ଗତ ହୋଇ ନାହିଁ । ଘଟନାକ୍ରମେ ସେଠାରେ ଶେଫାଳୀ ଓ ମାଳତୀ ପ୍ରସ୍ତରାସନୋପରି ଉପବିଷ୍ଟା-ଏକାନ୍ତ ମନରେ ବାକ୍ୟାଳାପନିରତା । ଅନୁ ବିଚରଣ କରୁ କରୁ ବୃକ୍ଷ ନ୍ତରାଳରୁ ସେମାନଙ୍କ କଥା ବାର୍ତ୍ତା ଶୁଣିପାରିଲା । ମାଳତୀ-“ସହି, ଆଉ ଅଳ୍ପଦିନ-ନଟବର-।”

 

ଅନୁର କୌତୂହଳ ବର୍ଦ୍ଧିତ ହେଲା । ନଟବର ନାମ, କର୍ଣ୍ଣରେ ବାଜିଗଲା । କୁମାରୀଦ୍ୱୟ କି କଥା କହୁଅଛନ୍ତି ଶୁଣିବାକୁ ସେ ବୃକ୍ଷାନ୍ତରାଳରେ ଉପବେଶନ କଲା । ମାଳତୀ ଆରମ୍ଭ କଲା-ତୋ ଶାଶୁଘର ସମସ୍ତେ ଭାରି ଭଲ-ଭାରି ଆଳପୀ ମଣିଷ ! ବାପା ନୂଆଗାଁ ଯାଇଥିଲେ, ତୋ ଦିଅର ବୀରକିଶୋର ସାମନ୍ତଙ୍କ ସଙ୍ଗେ ଦେଖା ହେଲା ।

 

ଶେଫାଳୀ ଉତ୍ସୁକ ହୋଇ ପଚାରିଲା-ନୂଆଗାଁ କାହିଁକି ଯାଇଥିଲେ ? ମା-କେ ଜାଣି-ତୋ ଶାଶୁଘର କଥା ହୋଇଥିବ ? ମୁଁ ଭଲ ଶୁଣି ନାହିଁ, ହେଲେ ତୋ କପାଳ ! ସେଠା କୁଆଡ଼େ ମାଟି ନୁହେ, ସୁନା ପତର । ଧାନ ଗଛରେ ସୁନା ଫଳେ ।

 

ତତ୍ପରେ ନଟବର ବିଷୟ ଆରମ୍ଭ ହେଲା । ସଙ୍ଗିନୀହୟ ହାସ୍ୟ ପରିହାସ କରିବାକୁ ଲାଗିଲେ । ଅନୁ ଆଉ ସହ୍ୟ କରି ପାରିଲା ନାହିଁ । ତାହାର ଆଶାର ଆକାଶ−ଅଟ୍ଟାଳିକା ଚୂର୍ଣ୍ଣ ହୋଇଗଲା । ଶ୍ରାନ୍ତ ହୃଦୟରେ ସେ ସଦରକୁ ଫେରିଗଲା । ଆଜି କଚେରିରେ ବେଶି ଲୋକ ନାହାନ୍ତି । ଗଣନାଥ ଏକ− ମନରେ ଖାତାପତ୍ରର ହିସାବ ଦେଖୁଅଛି । ହଠାତ୍ ଅନଙ୍ଗ ଆସି ପାଶ୍ଚାଦ୍ଭାଗରେ ଦଣ୍ଡାୟମାନ ହେଲା ।

 

ଅତ୍ୟନ୍ତ ଭଦ୍ରତା ସହକାରେ ଅଭ୍ୟର୍ଥନା କରି ଗଣନାଥ ଅନୁକୁ ବସିବାକୁ ଆସନ ଦେଲା । ଅନୁ ସୁଖୋପବିଷ୍ଟ ହେଲା ପରେ କହିଲା, “ଭାଇ, ବାବୁ ସାଆନ୍ତ ତୁମ୍ଭର କାର୍ଯ୍ୟ କଥା କହୁଥିଲେ କି-ମୁଁ ଶୁଣିଛି, ତୁମେ ତୁମର ପିତାଙ୍କ ପଦ ପାଇବ ।”

 

କକ୍ଷର ଅପର ପାର୍ଶ୍ୱରୁ ସାନନ୍ଦ ତାହା ଶୁଣିପାରି ନିକଟକୁ ଆସିଲେ । ପରମାତ୍ମୀୟ ଭାବ ପ୍ରକାଶ ପୂର୍ବକ କହିଲେ “ବାବା ଅନୁ, ବାଳ ପାଚିଲା, ବୁଢ଼ା ହେଲି, ଜମିଦାରୀରେ କାର୍ଯ୍ୟ କରି ବୟସ ତିନିକୋଡ଼ି ହେଲା; କିନ୍ତୁ ତୁମପରି ପୁଅ ଦେଖିଲି ନାହିଁ, ଉପଯୁକ୍ତ ପିତାର ଉରଯୁକ୍ତ ପୁତ୍ର । ଏବେ ତୁମର କାର୍ଯ୍ୟ କାଳ ଆସିଲା । ଆମର ମୁନିବ ହେବ । ବାବୁ ସାଆନ୍ତ ତୁମ ପିତାଙ୍କ ମୃତ୍ୟୁ ପରେ ସବୁ କାମ ନିଜେ ଦେଖୁଥିଲେ, ମୁଁ ଏକା ତାଙ୍କର ସାହାଯ୍ୟ କରେଁ । ଏବେ ସବୁ ତୁମକୁ ଦେଖିବାକୁ ହେବ । ଓକିଲ ହେଲ, ଆଇନ ଅଦାଲତ କଥା ଆମଠୁ ଭଲ ଜାଣ । କେବଳ ଦୋଷ ଭିତରେ ପିଲା ଲୋକ, ତା ସେଥିରେ କଣ, “ବୁଦ୍ଧିର୍ଯସ୍ୟ ବଳଂ ତସ୍ୟ ।” ତୁମେ ବୁଦ୍ଧିମାନ୍, ଗୁଣବାନ୍; ତୁମଦ୍ୱାରା ଆମ ଜମିଦାରୀର ଉନ୍ନତି ହେବ । କାଲି ନବଗ୍ରାମ ଯାଇଥିଲି । ନଟବର ସାମନ୍ତ ତୁମ କଥା ପଚାରୁଥିଲେ । ତୁମେ ବି,ଏ, ପାଶ କରିଛ, ଓକାଲତି ପାଶ କରିଛ ଶୁଣି ଭାରି ଖୁସୀ ହେଲେ । ଆସନ୍ତା ସପ୍ତାହ ସେ ଏଠାକୁ ଆସିବେ ।” ଅତଃପର ସ୍ୱର ନୂଆଇଁ କହିଲେ, “ଅନୁବାବୁ, ଜାଣ ! ସେ ଆମ ବାବୁ ସାଆନ୍ତଙ୍କର ଭାବୀ ଜ୍ୱାଇଁ-” ଅନୁର ମୁଖ ଅନ୍ଧକାରାଚ୍ଛନ୍ନ ହୋଇଗଲା । ବଡ଼ କଷ୍ଟରେ ଆତ୍ମସମ୍ବରଣ କଲା ! ପ୍ରତିଯୋଗୀ ନବଗ୍ରାମର ଜମିଦାର ପୁତ୍ର ନିଶାଖୋର କୁଚରିତ୍ର ନଟବର ! ତିନିଥର ଏଣ୍ଟ୍ରାନ୍‍ସ ଫେଲ୍ ! ସେ ପୁଣି ଶେଫାଳୀର ଭାବୀ ସ୍ୱାମୀ, ଆଉ ଅନଙ୍ଗମୋହନ ସର୍ବାଂଶରେ ଶେଫାଳୀର ଉପଯୁକ୍ତ ହୋଇ ସୁଦ୍ଧା ଶେଫାଳୀରତ୍ନରୁ ବଞ୍ଚିତ । କଥା ସର୍ବୈବ ସତ୍ୟ । ଶେଫାଳୀ ନଟବରର ଭାବୀ ପତ୍ନୀ । ଅନୁ ପ୍ରାଣକୁ ବଡ଼ ବାଧିଲା । ସେ ଜାଣେ, ସେ ପିତୃମାତୃହୀନ, ପରାନ୍ନ− ପାଳିତ, ଗର୍ବିତା ଜମିଦାରଦୁହିତା ଶେଫାଳୀର ସମକକ୍ଷ ହେବାର ଆଶା ତାହା ପକ୍ଷରେ ଆକାଶ− କୁସୁମ । ତେବେ ସେ କାହା ସକାଶେ ଦୀର୍ଘ ପାଞ୍ଚବର୍ଷ ପ୍ରଗାଢ଼ ପରିଶ୍ରମ କରିଥିଲା ? କିପାଁ କୁହୁକିନୀ ଆଶା, କାନେକାନେ ଏଡ଼େ ମଧର କଥା ଶୁଣାଇଥିଲା ?

 

ଶୟନରେ ସ୍ୱପନରେ ଶେଫାଳୀର ମୂର୍ତ୍ତି, ଅନୁପମ ଶେଫାଳୀର ନବନୀତକୋମଳ ସୌନ୍ଦର୍ଯ୍ୟଧ୍ୟାନ କରୁ କରୁ ଜୀବନସଂଗ୍ରାମରେ ଜୟୀ ହୋଇଥିଲା । ଆଶା ମାୟାବିନୀ ! ଅନୁର ବିଶ୍ୱାସ ଥିଲା, ନିଜର ଯୋଗ୍ୟତା ଦେଖାଇ ପାରିଲେ, ସ୍ୱଭାବର ମାଧୁର୍ଯ୍ୟରେ, ଚରିତ୍ରର ଗୌରବରେ ହରିହର ବାବୁଙ୍କୁ ତୁଷ୍ଟ କରି ପାରିଲେ ବୋଧ ହୁଏ ତାହାର ଅଦୃଷ୍ଟ ପ୍ରସନ୍ନ ହୋଇପାରେ, ଆଶାକାନନରେ ସୌରଭମୟୀ ଶେଫାଳୀକୁସୁମ ଫୁଟି ପାରେ; ମାତ୍ର ସେତିକି ଦୂର । ଦରିଦ୍ର ଅନାଥ ବାଳକ ତତୋଽଧିକ ଆଶା କରିବାକୁ ଭୟ କଲା । ମାତ୍ର ଆଜି ! ସମସ୍ତ ଆଶା ଚୂର୍ଣ୍ଣ ! ନିଃସନ୍ଦେହ ! ଶେଫାଳୀ କାହିଁକି ତାକୁ ଆଦର କରିବ ? ଶେଫାଳୀର କି ଦୋଷ ? ପ୍ରେମିକ ଅନୁ ଶେଫାଳୀର ଦୋଷ ଦେଖି ପାରିଲା ନାହିଁ । ଶେଫାଳୀ ପ୍ରତି ତାହାର ସହାନୁଭୂତି ଜାତ ହେଲା-। ବହୁବର୍ଷ ତଳର କଥା ମନେ ପଡ଼ିଲା । ନିଜର ପ୍ରଥମ କଲିକତା ଯାତ୍ରା ସମୟରେ ଶେଫାଳୀ କର୍ତ୍ତୃକ ସ୍ନେହୋକ୍ତି-“ତୁ କଲିକତା ଗଲେ ମତେ ଭଲ ଲାଗିବ ନାହିଁ-ଆଉ -ସେଠି ଯଦି ତତେ ଚୋର କାଟେ”, ହାୟ ଶେଫାଳୀ ! ପାଞ୍ଚବର୍ଷ କଲିକତା ବୁଲିଲା, ବିଶାଳ ସହର ଗଳି ଗଳି କନ୍ଦି କନ୍ଦି ଘୂରିଲା । ତାହାର ଅଶେଷ ମନୋହାରିତ୍ୱରେ ବୁଡ଼ିଲା-ତାହାର ଅପୂର୍ବ ମାଦକତାରେ ମଜ୍ଜିଲା-ତାହାର ଥିଏଟର, ସିନେମା, ବାୟସ୍କୋପ୍ ସବୁ ଦେଖିଲା, ମାତ୍ର କାହିଁ-ଅନୁ ତ ସେହି ଅନୁ । ପାପପଙ୍କିତ ନଗରୀର ଆବର୍ଜନାରେ ତାହାର ବିମଳ ଚରିତ୍ର କଳୁଷିତ ହେଲା ନାହିଁ, କଳଙ୍କର ଛିଟାଟିଏ ଲାଗିଲା ନାହିଁ । ମାତ୍ର ଶେଫାଳୀ- ଗୃହ କୋଣରେ ଥାଇ ଶେଫାଳୀ ପରିବର୍ତ୍ତିତ । ଅନୁକୁ ଭୁଲିଗଲା । ଅନୁର ବିଷମ ଅଭିମାନ ହେଲା । କ୍ଷାନ୍ତ ହୁଅ ଅନୁ !-ଶେଫାଳୀ ନିର୍ଦ୍ଦୋଷ । ତାହାର ଅପୂର୍ବ ସରଳତାରେ ସେ ତୁମକୁ ଭ୍ରାତା ତୁଲ୍ୟ ଜ୍ଞାନ କରେ ।

 

( ୭ )

 

ଆଜିକି ମାସେ ହେଲା ଅନୁର ଆଦୌ ସ୍ଫୂର୍ତ୍ତା ନାହିଁ, ଦିବାରାତ୍ର ଯେପରି କି କୌଣସି ବିଶେଷ ଚିନ୍ତାରେ ମଗ୍ନ, ତାହାର କି ଚିନ୍ତା ସେ ନିଜେ ବୁଝିପାରୁ ନାହିଁ । କି ଏକ ଭୀଷଣ ନୈରାଶ୍ୟ ଅନ୍ଧକାର ତାହାର ସମଗ୍ର ହୃଦୟକୁ ଆବୃତ କରି ରଖିଅଛି । ଆଜିକାଲି ସେ ସର୍ବଦା ସଦରରେ ଥାଏ, ଭିତରକୁ ମଧ୍ୟେ ମଧ୍ୟେ ଆସେ; କିନ୍ତୁ ତାହା ଅତି ଅଳ୍ପକ୍ଷଣ ସକାଶେ । ଶେଫାଳୀ ମଧ୍ୟ ବାଲ୍ୟକାଳ ପରି ତାକୁ ଦେଖିବାକୁ ବିଶେଷ ଉଦ୍‌ବିଗ୍ନା ନୁହେ । ମାଳତୀର କୌଶଳ ସଫଳ ହୋଇଅଛି ।

 

ଆଜି ପର୍ବ ଦିବସ । ସ୍ୱହସ୍ତରେ ନାନାବିଧ ମିଷ୍ଟାନ୍ନ ପ୍ରସ୍ତୁତ କରି ଅନୁକୁ ଭୋଜନରେ ବସାଇ ପରିବେଷଣପୂର୍ବକ ଇନ୍ଦୁମୁଖୀ ଅନ୍ତରାଳରେ ରହିଲେ । ଶେଫାଳୀ ନିକଟରେ ବସି ନୀରବରେ ଅନୁ ପ୍ରତି ମାତାଙ୍କର ଆଦର ଲକ୍ଷ୍ୟ କରୁଥିଲା ଏବଂ ଭବିଷ୍ୟତ୍‌ରେ ନବଗ୍ରାମର ଜମିଦାରପୁତ୍ର ନଟବର ଯେ ଏହି ଆଦରର ଅଧିକାରୀ, ଏହାହିଁ ଭାବୁଥିଲା ।

 

ଅନୁର ଭୋଜନ ସାଙ୍ଗ ହେଲା ପରେ, ଚତୁର ଅନୁ ଇଚ୍ଛା କରି ଶେଫାଳୀକୁ ପାନ ମାଗିଲା-। ଦାସୀ ଆସି ପାନ ଦେଇଗଲା, ଅନୁ ତାହା ଗ୍ରହଣ ନ କରି ପୁନଃ ପୁନଃ ଶେଫାଳୀକୁ ମାଗିବାକୁ ଲାଗିଲା । ଶେଫାଳୀ ବିରକ୍ତ ହୋଇ କହିଲା; “ଆଗରେ ଥୁଆ ହୋଇଛି, ନିଅ ।” ଅନୁ ବାଧ୍ୟହୋଇ ଗ୍ରହଣ ଗଲା, ଉଦ୍ଦେଶ୍ୟ କରି କହିଲା, “ନଟବର ଆର ସପ୍ତାହରେ ଆସିବ-ଘୋଡ଼ାଦୌଡ଼ ଦେଖିବାକୁ । ପାନ ଭାଙ୍ଗି ପଠାଇବୁ-ଗୋଲି ସଜାଡ଼ି ଦେବୁ । ଦୁଃଖର କଥା, ଆମ ଗାଁରେ ତ ମଦଖଟି ନାହିଁ ।” ଏହା କହି ଦ୍ରୁତ ବେଗରେ ବାହାରକୁ ଚାଲିଗଲା ।

 

ଅନୁର ପରିହାସ ଶେଫାଳୀର ପ୍ରାଣରେ ବଡ଼ ବାଧିଲା । ଅନୁ ସତ୍ୟବାଦୀ, କେବେ ତ ମିଥ୍ୟା କହେ ନାହିଁ । ତେବେ କଣ ସତେ ନଟବରର ଗୁଲି ମଦ ସହିତ ସମ୍ବନ୍ଧ ଅଛି-ନା, ଏ ଥଟ୍ଟା ପରିହାସ ? ଶେଫାଳୀ ବଡ଼ ଭାବନାରେ ଶଯ୍ୟା ଗ୍ରହଣ କଲା ।

କାହାକୁ କିଛି ପଚାରିବାକୁ ସାହସୀ ହେଲା ନାହିଁ ।

 

ଅନୁ ମାତୃତୁଲ୍ୟା ଇନ୍ଦୁମୁଖୀକୁ ପ୍ରଣାମ କରି କଚେରୀ ଗୃହରେ ଉପସ୍ଥିତ ହେଲା । କଚେରୀର ଲୋକ ଗହଳ ଭାଙ୍ଗି ଗଲାଣି, ସାନନ୍ଦ ଦାସ ଖାତାପତ୍ର ସଜାଡ଼ି ରଖୁଅଛନ୍ତି-“ହରି ହରି” କହି ବୃଦ୍ଧ ହରିହର ଆସନରୁ ଉଠିଲେ, ଅନୁ ପ୍ରଣାମ କଲା । ଆଦର କରି ବୃଦ୍ଧ ଆଶୀର୍ବାଦ କଲେ, କିଛିକ୍ଷଣ କଥାବାର୍ତ୍ତା ପରେ ପରୀକ୍ଷା ଛଳରେ ରଚାରିଲେ, “ବାବୁ ବି.ଏ. ପାଶ୍ କଲ, ବି. ଏଲ୍. ପାଶ୍ କଲ, ଅତଃପର କର୍ତ୍ତବ୍ୟ ବିଚାର କରିଅଛ ?” ଅନୁ କି ଉତ୍ତର ଦେବ ଭାବି–ପାରିଲା ନାହିଁ । “ଆପଣଙ୍କ ଇଚ୍ଛା” ଏତିକି କହି ତୁନି ହୋଇ ରହିଲା । ବାଳକର ନମ୍ର ସ୍ୱଭାବରେ ହରିହର ମୁଗ୍‌ଧ ହେଲେ । ସସ୍ନେହରେ ତାହାର ପୃଷ୍ଠ–ଦେଶରେ ହସ୍ତ ସ୍ଥାପନ କରି କହିଲେ, ବାବା, ଏଥର ସଂସାରର କାର୍ଯ୍ୟ କରିବା ତୁମର କର୍ତ୍ତବ୍ୟ ନୁହେଁ କି ? ତୁମ୍ଭର ଆଚରଣ ଓ ପଢ଼ା ପଢ଼ିରେ ଆମ୍ଭେମାନେ ସମସ୍ତେ ଅତି ସନ୍ତୁଷ୍ଟ । ଯୋଗ୍ୟ ପିତାର ଯୋଗ୍ୟ ପୁତ୍ର, ସେଥିପାଇଁ ଉପଯୁକ୍ତ ପୁରସ୍କାର ପାଇବ । କାଲିଠାରୁ କଚେରୀରେ କାର୍ଯ୍ୟାଦି ଦେଖ ।’ ‘ଆଜ୍ଞା’ କହି ଅନୁ ବିଦାୟ ହେଲା । ଜାମାତା ଓ ଦୁହିତାର ମିଳନଜନିତ ଶତ ସୁଖର କଳ୍ପନା କରି ବୃଦ୍ଧ ହରିହର ଅନ୍ତଃପୁରାଭିମୁଖରେ ପ୍ରସ୍ଥାନ କଲେ ।

 

ଅନୁ କଚେରୀ ପଥରୁ କିୟଦ୍ଦୂର ଆସି ଅଛି, ହଠାତ୍ ସାନନ୍ଦ ବାବୁ ଅନ୍ତରାଳରୁ ତାହାର ହସ୍ତ ଟାଣି ଧରିଲେ । “ଠିଆ ହୁଅ ଠିଆ ହୁଅ, ଅନୁ ବାବୁ ।” କଥାବାର୍ତ୍ତା କରୁ କରୁ ଉଭୟେ ଅନଙ୍ଗର ପ୍ରକୋଷ୍ଠରେ ପ୍ରବେସ କଲେ । କଥାବାର୍ତ୍ତାର କିୟଦଂଶ ଏହିପରି-

 

ଅ-ଆପଣ କହୁଛନ୍ତି ମୁଁ ପୋଷ୍ୟ ପୁତ୍ର ହୋଇଥିଲି । ତେବେ ସେ କଥାଟା ଗୁପ୍ତ ହେଲା କାହିଁକି ? ବାବାଙ୍କର ତ ଆଉ ପୁତ୍ର ସନ୍ତାନ ନାହିଁ ?

 

ସା-ପୁତ୍ର ସନ୍ତାନ ନ ଥିଲେ କଣ କନ୍ୟା ସନ୍ତାନ ନାହିଁ ? ପୋଷ୍ୟପୁତ୍ର କି କେବେ ଜୁଆଇଁ ହୁଏ ? ସେ ତ ପୁତ୍ର ତୁଲ୍ୟ । ତେବେ ଅକାରଣ ସେ ସମ୍ପତ୍ତିର ଅଧିକାରୀ ହେବେ, ନାତି ଜଣ ଅଧିକାରୀ ହୋଇ ନ ପାରେ ?

 

ଅନୁ ଏତେ କଥା ଭାବି ନ ଥିଲା, ଏବେ ବୁଝିଲା- ସେ ପୋଷ୍ୟପୁତ୍ର ହୋଇଥିଲା; କିନ୍ତୁ କନ୍ୟା ଜନ୍ମ ପରେ ସେ ଅଧିକାରରୁ ବଞ୍ଚିତ ହୋଇଅଛି; ଅଥଚ ଭଗିନୀସମ୍ପର୍କୀୟା ଶେଫାଳୀ ସହିତ ବିବାହ ମଧ୍ୟ ହେବ ନାହିଁ । ସେ ସ୍ତମ୍ଭିତ ହୋଇ ଶୁଣିଲା ପୁଣି ସାନନ୍ଦ ଦାସ କହିଲେ-“ଭାଇ ଭଉଣୀର ବିବାହ ହୋଇ ନ ପାରେ, ଆମ ଶାସ୍ତ୍ର ବିରୁଦ୍ଧ; ସେଥିପାଇଁ ନୂଆଗାଁ ସାଅନ୍ତ ପୁଅଙ୍କ ସହିତ ଜେମାଙ୍କର ବିବାହ ନିର୍ବନ୍ଧ ସ୍ଥିର ହେଲାଣି । ମୁଁ ତୁମ୍ଭଙ୍କୁ ଗୋପନରେ କହୁଛି ।” ଅତି ମୃଦୁ ସ୍ୱରରେ କହିଲେ “ତୁମ୍ଭର ପିତା ଏଠାର ଦେବାନ ଥିଲେ, ଖୁବ୍ ସମ୍ପତ୍ତି ବାଡ଼ି କରି ଯାଇଥିଲେ । ତାଙ୍କର କିଏ ଥିଲା ? ଏଠି ସାତବର୍ଷ କାର୍ଯ୍ୟ କରିଅଛନ୍ତି । ଆଉ ଆଜି ତୁମ୍ଭେ ଦାଣ୍ଡର ଭିକାରୀ । ନା, ନା, ତୁମ୍ଭର ଏତିକି ଭଲ ହୋଇଛି, ଆମ ସାଆନ୍ତ ଅତି ସଦାଶୟ ପିଲାକାଳୁ ତୁମ୍ଭଙ୍କୁ ମା ବାପ ଛେଉଣ୍ଡ ଜାଣି ମନୁଷ୍ୟ କରି ତୁମ୍ଭର ବାବାଙ୍କ ପଦ ଦେବେ । ତୁମ୍ଭେ ଶୁଣିଲ ତ, ପୁରସ୍କାର ପାଇବ । ସେ କଣ ? ଦେବାନ ପଦ ।”

 

ଏହିପରି ନାନା ଗଳ୍ପ ହେଲା । ରାତ୍ରୀ ଏଗାରଟା ବାଜିଲା, ଚନ୍ଦ୍ର ଡୁବିଲା । ଆକାଶ ମେଘରେ ଆଚ୍ଛନ୍ନ । ସାନନ୍ଦ ସ୍ୱଅଭୀଷ୍ଟ ସାଧନର ପ୍ରଥମ ଅଙ୍କ ସମାପ୍ତ କରି ମହୋଲ୍ଲାସରେ ଗୃହକୁ ପ୍ରସ୍ଥାନ କଲା । ଅନୁ କ୍ଳାନ୍ତଦେହ ଓ ଭଗ୍ନମନରେ ଶଯ୍ୟା ଗ୍ରହଣ କଲା । ତାହାର ଜୀବନବ୍ୟାପୀ ବହୁ ଆଶା−ଗଠିତ ଆକାଶସୌଧ ହଠାତ୍ ଭାଙ୍ଗି ପଡ଼ିଲା । ସାନନ୍ଦ ପରିବାରର ପ୍ରତ୍ୟେକ କଥା ଜ୍ୱଳନ୍ତ ସତ୍ୟ ତୁଲ୍ୟ ତାହା ଦୃଷ୍ଟିରେ ପ୍ରତିଭାତ ହେଲା । କାରଣ ଶେଫାଳୀର ବ୍ୟବହାର, ହରିହର ବାବୁଙ୍କର କଥା, ଏସବୁ ତ ତାହାର ପ୍ରଧାନ ପ୍ରମାଣ । ଆଉ ନଟବର ସହିତ ଆଦରର ଧନ ଶିଉଳୀର ବିବାହ ତ ସର୍ବୈବ ସତ୍ୟ, ଏଥିରେ ତ ସନ୍ଦେହର କିଛି କଥା ନାହିଁ । ଅନୁ ଭାବନାରେ ମଗ୍ନ ହେଲା, ନିଦ୍ରାଦେବୀଙ୍କର ସାକ୍ଷାତ୍ ନାହିଁ । ଗଭୀର ରାତ୍ରୀ, କକ୍ଷତଳେ ଅନ୍ଧକାର, ଅନଙ୍ଗର ହୃଦୟରେ ମଧ୍ୟ ଘୋର ଅନ୍ଧକାର । ଆଜିକି ସେ ବହୁ ବର୍ଷର କଥା-ଅତି ବାଲ୍ୟକାଳର କଥା । ଦଣ୍ଡେ ଶେଫାଳୀକୁ ନ ଦେଖିଲେ ତାହାର ତୃପ୍ତି ହେଉ ନ ଥିଲା । ଦିନ ମଧ୍ୟରେ ପନ୍ଦରଥର ସାକ୍ଷାତ୍ ହେଲେ ମଧ୍ୟ ଶେଫାଳୀ ଆଉଥରେ ଆସିବାକୁ କହୁଥିଲା । ଆଜି ସେ ସବୁ ଅତି ପୁରୁଣା କଥା, ଅସାର କଥା, ତାହାର ସ୍ମରଣରେ କି ଲାଭ ? ମାତ୍ର ଅନୁ ସ୍ମରଣ କଲା । ସେ କୋମଳ ଅଧରରେ ମଧୁର ହାସ୍ୟ ସ୍ମରଣ କଲା । ମଧ୍ୟାହ୍ନର ଛୁଟି ହୋଇଥିଲା; ଖେଳଛୁଟି ହୋଇଥିଲା । ହଠାତ୍ ଶେଫାଳୀକୁ ଦେଖିବାର ଇଚ୍ଛା ପ୍ରବଳ ହେଲା, ତରତର ହୋଇ ସ୍କୁଲରୁ ଦୌଡ଼ି ଆସିଲା, ଅସାବଧାନରେ ଚିକ୍‍କଣ ମର୍ମର ପାବଚ୍ଛରୁ ପାଦ ଖସିଗଲା । ଅନୁ ପଡ଼ିଗଲା, ଆଉ ମନେ ନାହିଁ; ଆହା, ସେତେବେଳେ ଅନାଥ ହତଭାଗା କିପାଁନ ମଲା ।

 

ସନ୍ଧ୍ୟାକାଳରେ ଜ୍ଞାନୋଦୟ ହେଲା, ଦେଖିଲେ, ଦେବୀତୁଲ୍ୟ ଅପ୍‌ସରୀତୁଲ୍ୟ ସୁନ୍ଦରୀ ଶେଫାଳୀ ନିକଟରେ ବସିଅଛି । ଦିନ ନାହିଁ, ରାତି ନାହିଁ, ଶେଫାଳୀ ନିକଟରେ ବସିଅଛି । ସେତେବେଳେ ଶେଫାଳୀ ପ୍ରାଣର ଅତି ନିକଟରେ । ହାୟ ! ସେ ଦିନ, ଆଉ ଏ ଦିନ । ସେତେବେଳେ କଥାରେ ସୁଖ, ଗୀତରେ ସୁଖ, ଭ୍ରମଣରେ ସୁଖ, କଳହରେ ମଧ୍ୟ ସୁଖ । ପିଲା କାଳରେ ବୃଦ୍ଧ ଦୀନବନ୍ଧୁଙ୍କ ପୃଷ୍ଠଦେଶରେ ଚଢ଼ି ବାଳକ ବାଳିକା ଖେଳୁଥିଲେ । ନାତି ନାତୁଣୀଙ୍କୁ ଥଟ୍ଟା କରି ବୃଦ୍ଧ କେତେଥର ବିବାହ କରାଇ ଦେଉଥିଲେ, କେତେଥର ହରଗୌରୀ ବୋଲି ଡାକୁଥିଲେ, ମାତ୍ର ସେ ଦିନ, ଆଉ ଏ ଦିନ । ଏତେଦିନ ପରେ, ଏତେ ଦୀର୍ଘକାଳ ପରେ, ଅନୁ ଶୁଣୁଅଛି, ଶେଫାଳୀ ତାହାର ଭଗିନୀ; ଅଥଚ ଶେଫାଳୀ ଦିନେ ଭାଇ ବୋଲି ଡାକିଲା ନାହିଁ । ଯେଉଁ ଆଶାର ପ୍ରଲୋଭନ ଏତାବତ୍‌କାଳ ତାକୁ ଭୁଲାଇ ରଖିଥିଲା; ଯେଉଁ ମୋହରେ ଚିରଜୀବନ ପରିଚାଳିତ ହୋଇଥିଲା, ଆଜି ସହସା ତାହା ଭଗ୍ନ ହେଲା । ଅନୁର ଚତୁର୍ଦ୍ଦିଗ ଅନ୍ଧାକାର,ତାହାର ମୁଣ୍ଡ ଘୂରିଲା । ଏତେଦିନ ପରେ ସ୍ନେହମୟୀ ଶେଫାଳୀର ଅନୁପମ ମୂର୍ତ୍ତି ମାନସ– ପଟରୁ ପୋଛିବାକୁ ହେବ ଭାବି ସେ ଅତ୍ୟନ୍ତି କାତର ହେଲା; କାରଣ ସେ ଭଗିନୀ, ସେ ପରର ସ୍ତ୍ରୀ । ଭଉଣୀ ସହିତ ବିବାହ ଅସମ୍ଭବ । କ୍ରୂର ଆଶା ! ଆଜି ତୁ କେଉଁଠାରେ ? ଅନୁ କି ମୂର୍ଖ । ତୋହର ଆଶ୍ରୟ ଗ୍ରହଣ କରିଥିଲା । ଯୁବକର ଦାରୁଣ ଅଭିମାନ ହେଲା । ଦୁଇ ନୟନରୁ ଅବିରଳ ତୃପ୍ତ ଅଶ୍ରୁଧାରା ପ୍ରବାହିତ ହୋଇ ଉପାଧାନ ସିକ୍ତ କଲା । ସାନନ୍ଦ ଦାସର ପ୍ରତ୍ୟେକ କଥା କର୍ଣ୍ଣକୁହରରେ ବାଜି ଉଠିଲା-“ଶେଫାଳୀ ଭଉଣୀ, ଶେଫାଳୀ ଭଉଣୀ- ନଟବର–ନଟବର ଶେଫାଳୀର ସ୍ୱାମୀ ।” ଆଉ ଅନୁ ଚିରଜୀବନ ଶେଫାଳୀକୁ ପୂଜା କରି, ପ୍ରାଣରେ ଧାରଣ କରି, ଅନୁ ତାହାର କିଛି ନୁହେ । ନିଶାଖୋର କୁଚରିତ୍ର ନଟବର ଅତୁଲ୍ୟ ଶେଫାଳୀ କୁସୁମର ମାଳା ହସି ହସି ଗଳାରେ ଲମ୍ୱାଇ ଚାଲିଯିବ, ଆଉ ଅଭାଗା ଅନୁ ଭିକାରୀ ପରି ଷ୍ଟେଟରେ ଖଣ୍ଡେ ଚାକିରି ଘେନି ରହିବ । ହରହର ବାବୁଙ୍କୁ ଅନ୍ତେ ଶେଫାଳୀ ଓ ନଟବର ହେବେ ତାହାର ପ୍ରଭୁ, ସେ ହେବ ବେତନଭୋଗୀ ଭୃତ୍ୟ । ଏତେ ଲାଞ୍ଛନା ଅପେକ୍ଷା ମୃତ୍ୟୁହିଁ ଶ୍ରେୟଃ । ତାହାର ଏଡ଼େ ମହତ୍, ଏଡ଼େ ବିଶାଳ ଆଶାର କି ଏହା ହିଁ ଚରମ ପରିଣତି ?

 

ଅନୁର ଅନେକ କଥା ମନେ ପଡ଼ିଲା । କଟକର ବୋର୍ଡିଂ, କଲିକତାର ମେସ୍, ନିଜର କଠିନ ପରିଶ୍ରମ, ଦିବସ ରଜନୀ ଏକାନ୍ତ ଧ୍ୟାନରେ ପଠନଶ୍ରମ, କାହା ସକାଶେ ଏତେ କରିଥିଲା ? ଅଭାଗା ହଠାତ୍ ସବୁ ସୁଖରୁ ବଞ୍ଚିତ ହେଲା । ହରିହର ଓ ଇନ୍ଦୁମୁଖୀ ତେବେ କାହିଁକି ତାକୁ ପୁତ୍ରାଧିକ ସେହ୍ନ କଲେ, ଯତ୍ନ କଲେ । ତାହାର ପଢ଼ାସକାଶେ ରାଶି ରାଶି ଅର୍ଥ ସାରିଲେ, ପୋଷ୍ୟପୁତ୍ରତ୍ୱରୁ ବଞ୍ଚିତ କଲେ, ଶେଷକୁ ଶୋଫାଳୀ–ରତ୍ନକୁ ଅନ୍ୟକୁ ଦେଲେ; ଅଥଚ ତାହା ଅନାଥ ବାଳକଠାରୁ ସମ୍ପୂର୍ଣ୍ଣ ଗୋପନ ରଖି, ତାହାର ହୃଦୟରେ ଅଯଥା ଆଶାବୀଜ ରୋପଣ କଲେ । ଏବେ ପୁଷ୍ପିତା ଆଶାଲତା ନିଷ୍ଠୁରଭାବରେ ଛେଦନ କଲେ କି ତାଙ୍କର ସ୍ନେହର ପରାକାଷ୍ଠା ହେବ ? ଭାବୁ ଭାବୁ ଅନୁର ଶ୍ରାନ୍ତ ଚକ୍ଷୁ ତନ୍ଦ୍ରାତୁର ହୋଇଗଲା । ପରିଶେଷରେ ଚିରଶାନ୍ତିଦାୟିନୀ ନିଦ୍ରା ତାହାର ସମସ୍ତ ବେଦନା ଦୂର କଲା । ସେ ଉଠିବା–ବେଳେ ଦେଖିଲା; ଜଳାକବାଟିର ଛିଦ୍ରବାଟେ ରୌଦ୍ର ପ୍ରବେଶ କରୁଅଛି । ବେଳ ଅନେକ । ଉଠି ଠିଆ ହେଲା; କିନ୍ତୁ ଆଜି ତାହାର କିଛି ଶକ୍ତି ନାହିଁ-। ପାଦ ଚଳୁ ନାହିଁ । ବହୁଦିନର ପୀଡ଼ିତ ବ୍ୟକ୍ତି ପରି ଧୀର ଦୁର୍ବଳ ପଦକ୍ଷେପରେ ନଦୀସ୍ନାନକୁ ବାବାରିଲା ।

 

( ୮ )

 

ଗତି ରାତ୍ରିର ଭୀଷଣ ପ୍ରଳୟ ପରେ ପ୍ରକୃତି ଉଜ୍ଜ୍ୱଳ ମୂର୍ତ୍ତି ଧାରଣ କରି ନବୀନ ପ୍ରଭାତକୁ ଆଲିଙ୍ଗନ କଲା । ଚରାଚର ହସି ଉଠିଲେ, ବାଳାର୍କ କିରଣ–ରଞ୍ଜିତ କୁସୁମଦାମ–ଦଳବିକାଶ ଛଳରେ ହସି ହସି ସୌରଭ ବିସ୍ତାର କଲେ ।

 

ଦଶଟା ବାଜିଲାଣି ଅନୁର ଦେଖା ନାହିଁ । ସେ ତ ଅତି ପ୍ରଭାତରୁ ନଦୀସ୍ନାନକୁ ଯାଏ । ଆଜି ମଧ୍ୟ ଯାଇଥିବ; କିନ୍ତୁ କାହିଁ, ଦିବା ଦଶଘଟିକା ଉତ୍ତୀର୍ଣ୍ଣ–ପ୍ରାୟ, ସୂର୍ଯ୍ୟ ମୁଣ୍ଡ ଉପରେ । ଏତେବେଳ ହେଲାଣି, ପ୍ରାତର୍ଭୋଜନ ସକାଶେ ଅନୁ ତ ଅନ୍ତଃପୁରକୁ ଆସିଲା ନାହିଁ । ବ୍ୟସ୍ତ ହୋଇ ଇନ୍ଦୁମୁଖୀ ସଦରକୁ ସମ୍ୱାଦ ଦେଲେ । ସେଠାରେ ମଧ୍ୟ ଅନୁର ନାହିଁ, ଆହୁରି ଘଣ୍ଟାଏ ଅପେକ୍ଷା କଲେ, ମାତ୍ର ଅନୁର ଦର୍ଶନ ନାହିଁ । କ୍ରମେ ବାରଟା ବାଜିଲା । ଏକ, ଦୁଇ, ତିନି କରି ଛଅ ବାଜିଲା ସନ୍ଧ୍ୟା ଲାଗିଲା, ଦେବମନ୍ଦିରରେ ଆରତିଘଣ୍ଟା ବାଜି ଉଠିଲା, ମାତ୍ର ଅନୁର ଦେଖା ନାହିଁ । ହରିହର ବାବୁ ଗ୍ରାମରେ ଅନୁପସ୍ଥିତ । ଭୀତା ତ୍ରସ୍ତା ଇନ୍ଦୁମୁଖୀ ସାନନ୍ଦ ଦାସ ନିକଟକୁ ସମ୍ୱାଦ ପ୍ରେରଣା କଲେ, କେହି ଅନୁକୁ ଦେଖି ନାହାନ୍ତି । ସାରା ଗ୍ରାମଟି ଅନ୍ୱେଷଣ ହେଲା; ମାତ୍ର ତାହାର ଉଦ୍ଦେଶ୍ୟ ମିଳିଲା ନାହିଁ । ବୁଲି ବୁଲି ରାତ୍ରି ଦଶଘଟିକା ସମୟରେ ଶ୍ରାନ୍ତ ଧାଉଡ଼ିଆ ଖବର ଦେଲା, ଅନୁ ବାବୁ ମିଳିଲେ ନାହିଁ । ଇନ୍ଦୁମୁଖୀ କାନ୍ଦିବାକୁ ଲାଗିଲେ । ଭୀତା ଶେଫାଳୀ ମାତା ନିକଟରେ ଠିଆ ହୋଇ କମ୍ପିବାକୁ ଲାଗିଲା । ତାହାର ନୟନରେ ଅଶ୍ରୁ, ହୃଦୟରେ ଭୟ ଓ ଦୁଃଖ । ହରିହର ବାବୁ ଗ୍ରାମକୁ ପ୍ରତ୍ୟାବୃତ୍ତ ହୋଇ ଏହି ଦୁଃସମ୍ୱାଦ ଶ୍ରବଣରେ ହତବୁଦ୍ଧି ହୋଇ ପଡ଼ିଲେ । ହଠାତ୍ ଅନୁର ଏବଂବିଧ ଆଚରଣର କୌଣସି କାରଣ ସେ ଅବଧାରଣ କରି ପାରିଲେ ନାହିଁ । ଅନୁ ତାଙ୍କର ଭାବୀ ଜାମାତା, ପୁତ୍ରାଧିକ ଅନୁରକ୍ତ ଓ ବାଧ୍ୟ, ସେ କାହିଁକି ହଠାତ୍ ବିଶ୍ୱାସଘାତକତା କରି ପଳାୟନ କରିବ ? ତେବେ କୌଣସି ଦୃଷ୍ଟଲୋକ କି ଚକ୍ତାନ୍ତ କରି ତାହାର କିଛି ଅନିଷ୍ଟ ଘଟାଇଲା ? ସେ ଅତ୍ୟନ୍ତ ଭୀତ ହୋଇ ପୁଲିସରେ ସମ୍ୱାଦ ଦେଲେ । ହୁଲିୟା ଜାରି ହେଲା, ମାତ୍ର ଅନୁର କୌଣସି ସନ୍ଧାନ ମିଳିଲା ନାହିଁ ।

 

ଇନ୍ଦୁମୁଖୀ ବହୁତ ରୋଦନ କଲେ । ଶେଫାଳୀର କୋମଳ ହୃଦୟ ଅତ୍ୟନ୍ତ ଅଧୀର ହେଲା, ମାତାଙ୍କର ଶୀର୍ଣ୍ଣ ବଦନକୁ ଚାହିଁ ତାହାର ଅତିଶୟ କଷ୍ଟ ହେଲା, ସେ ମଧ୍ୟ କାନ୍ଦିଲା; କିନ୍ତୁ ଦିନ ପରେ ଦିନ, ମାସ ପରେ ମାସ ଗଲା, ଅନୁ ମିଳିଲା ନାହିଁ, ଶେଫାଳୀର ବିବାହ ଆୟୋଜନ ସ୍ଥଗିତ ହେଲା । କନ୍ୟାକୁ ଉଦ୍ଦେଶ୍ୟ କରି ମାତା ବିଳାପ କରିବାକୁ ଲାଗିଲା । ଶେଫାଳୀ ବୁଝିଲା, କାହା ସହିତ ବିବାହର ଆୟୋଜନ ହେଉଥିଲା-କିଏ ସେ ବର । ସେ କଳ୍ପିତ ନବଗ୍ରାମର ଜମିଦାର ପୁତ୍ର ନଟବର ନୁହେ । ସେ ତାହାରି ଆବାଲ୍ୟସଙ୍ଗୀ ଏକାନ୍ତ ଅନୁରକ୍ତ ଅନଙ୍ଗମୋହନ; ଧୀର, ଦୃଢ଼ମନା, ସୁଚରିତ୍ର ଅନଙ୍ଗମୋହନ । ମାଳତୀର ମୁଖରେ ଚୂନ କାଳି ଲାଗିଲା । ଅଭାଗିନୀର ଆଶା−ସୌଧ ଭଗ୍ନ ହେଲା, ଅନ୍ୟକୁ ନିରାଶ କରିବାକୁ ଯାଇଁ ଆପେ ବଞ୍ଚିତା ହେଲା, ମଧ୍ୟ ଗୁପ୍ତ କଥା ଧରାପଡ଼ି ସାନନ୍ଦର କଠୋର ଶାସ୍ତି−ବିଧାନ ହେଲା । ମାଳତୀ ପରିବାର ଜମିଦାର ଆବାସରୁ ବିତାଡ଼ିତ ହେଲେ । ଦୁଃଖିନୀ ଶେଫାଳୀର ପ୍ରଫୁଲ୍ଲ ପଦ୍ନତୁଲ୍ୟ ବଦନ ଶୁଖି କଳା ପଡ଼ିଥିଲା । ଚକ୍ଷୁକୋଣରେ ଗାଢ଼ କାଳିମା ଅଙ୍କିତ ହେଲା । ବୃଦ୍ଧ ହରିହର ଓ ଇନ୍ଦୁମୁଖୀ ଏତେବଡ଼ ଆଶାରେ ନିରାଶା ହୋଇ ଅବସନ୍ନ ହୋଇପଡ଼ିଲେ । ଏକମାତ୍ର କନ୍ୟାର ଏତାଦୃଶ ଭାଗ୍ୟବିପର୍ଯ୍ୟୟ ହଠାତ୍ ନିର୍ମଳ ଆକାଶରେ ପ୍ରଳୟର ମେଘତୁଲ୍ୟ ସେମାନଙ୍କର ସୁଖସୂର୍ଯ୍ୟକୁ ଗ୍ରାସ କଲା, ମାତ୍ର ତଥାପି କାଳ ବହିଗଲା । କାଳ କ ’ଣ କାହାପାଇଁ ଅପେକ୍ଷା କରେ ? କାହାର ସୁଖ ଦୁଃଖକୁ ଅନାଏ ?

 

( ୯ )

 

ବିଶେଶ୍ୱରଙ୍କ ମସ୍ତକସ୍ଥିତା ଜହ୍ନବୀ ବଡ଼ ଗୌରବରେ ତାଙ୍କ ମନ୍ଦିରର ପାଦ ଧୌତ କରି ପ୍ରବାହିତା । ନଦୀବକ୍ଷରେ ଅସଂଖ୍ୟ ନୌକା, ଶୁଭ୍ର ପାଲ ବିସ୍ତାର କରି ସାନ୍ଧ୍ୟସମୀର ସେବନଛଳରେ ତୀର–ଦେଶରେ ଶାୟିତ, ତହିଁ ମଧ୍ୟରେ ନାବିକମାନେ

 

ଆନନ୍ଦରେ ଗୀତ ଗାଉ ଗାଉ ରନ୍ଧନ କାର୍ଯ୍ୟରେ ବ୍ୟାପୃତ । ପବିତ୍ରତୋୟା ଜାହ୍ନବୀର ସୁନୀଳ ଜଳରାଶି କଳକଳରବରେ ପ୍ରବାହିତ । ତୀରରେ ଅସଂଖ୍ୟ ବିପଣି, ଘାଟରେ ଜନତାର ଭିଡ଼, ଅସଂଖ୍ୟ ଲୋକ ରାଜମାର୍ଗରେ ଯାତାୟାତ କରୁଅଛନ୍ତି । କିଏ ପଚାରେ କାହା କଥା ? ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ । ବିଶାଳ କାଶୀନଗରୀ ବିଶ୍ୱନାଥଙ୍କ ମନ୍ଦିର ବିକ୍ଷୋପରି ବହନ କରି ହିନ୍ଦୁଙ୍କର ପବିତ୍ରତମ ତୀର୍ଥ ମଧ୍ୟରେ ପରିଗଣିତ; ତାହାର ଅପାର ସୌନ୍ଦର୍ଯ୍ୟ, ଅଶେଷ ମନୋହାରିତ୍ୱ, ବିଶଳ ବିପଣି ଓ ମନ୍ଦିରର ସମାବେଶ, ଅସଂଖ୍ୟ ରାଜମାର୍ଗ ଦର୍ଶକକୁ ମୋହିତ କରୁଅଛି ।

 

ସନ୍ଧ୍ୟାକାଳ । ସୂର୍ଯ୍ୟଦେବ ପଶ୍ଚିମାଞ୍ଚଳରେ ଅସ୍ତମିତ, ନାନାବର୍ଣ୍ଣାନୁରଞ୍ଜିତ ମେଘମାଳା−ଜାହ୍ନବୀର ବିପୁଳ ଜଳ−ଦର୍ପଣରେ ପ୍ରତିବିମ୍ୱିତ । ଧୀରେ ଧୀରେ ଅନ୍ଧକାର ଯେପରି ଆକାଶରୁ ଓହ୍ଲାଇ ଆସୁଅଛି, କ୍ରମେ ଯେପରି ତାହାର ବିରାଟକାୟା ସମଗ୍ର ନଗରୀକୁ ଆଚ୍ଛନ୍ନ କରିପକାଇବ । ପ୍ରତି ମନ୍ଦିରରେ ଆରତିର ଧ୍ୱନି, ଘଣ୍ଟା ନିନାଦରେ କର୍ଣ୍ଣ ବଧିରପ୍ରାୟ ।

 

ଗଙ୍ଗାତୀରରେ ଅସଂଖ୍ୟ ଲୋକ, ସାଧୁ ,ସନ୍ନ୍ୟାସୀ, ଯୋଗୀ, ସନ୍ନ୍ୟାସିନୀ ଓ ସ୍ନାନାର୍ଥିରେ ପ୍ରତ୍ୟେକ ଘାଟ ପରିପୂର୍ଣ୍ଣ । କିଏ ସ୍ତବାବୃତ୍ତି କରୁଅଛି, କିଏ ମନ୍ତ୍ର−ପାଠନିରତ, କିଏ ବା ମାଳା ଜପୁଅଛି । କେତେ ଭେକଧାରୀ ସର୍ବାଙ୍ଗ ଭସ୍ମାବୃତ କରି ନାମାବଳୀର ଅସଂଖ୍ୟ ଛାପା ଘେନି ଶିଷ୍ୟବୃନ୍ଦଙ୍କଠାରୁ ଅର୍ଥ ସଂଗ୍ରହରେ ତତ୍‌ପର । କେତେକ ଭକ୍ତ ମୁଣ୍ତିତମସ୍ତକା ବିଧବା ରମଣୀ ବିଶ୍ୱେଶ୍ୱରଙ୍କରୁ ଉଦ୍ଦେଶ୍ୟ-କରି ପ୍ରମାଣ−ପୂର୍ବକ ପୂଜାନିରତ, ଆକାଶମାର୍ଗରେ ବିହଙ୍ଗମ−କୋଳାହଳ-

 

ଏହିପରି ସମୟରେ ଜଣେ ଯୁବକ ଗଙ୍ଗାତଟରେ ସମାସୀନ; ଉଦ୍ଭ୍ରାନ୍ତ ନୟନରେ ପ୍ରକୃତି ଶୋଭା ପର୍ଯ୍ୟବେକ୍ଷଣନିରତ, ମାତ୍ର ସେଥିରେ ତାହାର ସ୍ଫୂର୍ତ୍ତି ନାହିଁ । ପ୍ରାଣହୀନ, ଉତ୍ସାହୀନ ଭାବରେ ଲୋକଙ୍କର ଚରଣଗତି ମାତ୍ର ଲକ୍ଷ୍ୟ କରୁଅଛି ।

 

ବିଶାଳ କାଶୀନଗରୀ । କେତେ ଲୋକ ଯାତାୟାତ କରନ୍ତି କିଏ କାହାର ଖବର ରଖେ ? ଯୁବକ ସମ୍ପୂର୍ଣ୍ଣ ଏକାକୀ, ଆପଣାର ଚିନ୍ତାରେ ମଗ୍ନ; କିନ୍ତୁ ନୟନ ଆକାଶରେ । ତାହାର ଚିନ୍ତା ଅପାର, ଅଶେଷ । ଆରତିର ଧ୍ୱନି କର୍ଣ୍ଣରେ ପ୍ରବେଶ କରି ସୁଦ୍ଧା ଚିନ୍ତା−ସ୍ରୋତ ଭଗ୍ନ ହେଉ ନାହିଁ; ଅଲକ୍ଷ୍ୟରେ ହସ୍ତ ଯୋଡ଼ିକ ବଦ୍ଧାଞ୍ଜଳି ହୋଇ କପାଳ ସ୍ପର୍ଶ କରୁଅଛି ମାତ୍ର । ତାହାର ଚିନ୍ତା ବିଶାଳ ! ବିଶାଳ ବିଶାଳ ଜାହ୍ନବୀ–ବକ୍ଷଠାରୁ ବିଶାଳ, ଅନନ୍ତ ଅମ୍ୱରଠାରୁ ଅନନ୍ତ, ଅପାର ସମୁଦ୍ରଠାରୁ ଅପାର, ସୁଦୂର ତାରାଠାରୁ

 

ସୁଦୂର । ତାହାର ସ୍ୱପ୍ନ ଅତୀତ; ଅତୀତ ଜଗତର ଏକ ନୈରାଶ୍ୟଜଡ଼ିତ ସ୍ୱପ୍ନ ! ଆଶା ଓ ବିଶ୍ୱାସର ଏକ ଅସ୍ପଷ୍ଟ ଆଲୋକଚିତ୍ର । ଆଜି ତାହା ନାହିଁ । ମାତ୍ର ତାହା ଦିନେ ଥିଲା । ଦିନେ ଯୁବକ ଦେଖିଥିଲା, ହସିଥିଲା, କାନ୍ଦିଥିଲା, ହସାଇଥିଲା, କନ୍ଦାଇଥିଲା । ଆଜି ତାହା ନାହିଁ-ଆଜି ସୁଦୂର ନୟନାନ୍ତରାଳରେ ପ୍ରେତ–ଜଗତରେ ତାହାର ଅସ୍ତିତ୍ୱ ବିଲୀନ ।

 

ବସନ୍ତରେ ଫୁଲ ଫୁଟିଥିଲା, କାନନରେ କୋକିଳ ଗାଇଥିଲା, ଆମ୍ର ବକୁଳ-ମୁକୁଳାନ୍ତରାଳରେ ଅଳିର ଝଙ୍କାର ଶୁଣିଥିଲା, ମାତ୍ର ଆଜି ସେ ବସନ୍ତ ନାହିଁ । ସେ ଆକାଶକୁସୁମ ଝଡ଼ି ଯାଇଅଛି । ପ୍ରେମପିକ ନୀରବ ହୋଇଅଛି । ଆଜି ଭୀଷଣ ନିଦାଘ, ନିର୍ମମ ନିଷ୍ଠୁର ନିଦାଘ ଆଜି, ତାହାର ହୃଦୟପ୍ରାନ୍ତର ମରୁଭୂମି ।

 

ସେଠାରେ ଜଳ ନାହିଁ କେବଳ ନୈରାଶ୍ୟ ମରୀଚିକା, ସେଠାରେ ଭରସା ନାହିଁ; କେବଳ ଅନ୍ତର୍ଦାହର ଭୀଷଣ ଅନୁଭୂତି । ଜ୍ୱାଳାମୟ ହୃଦୟର ଦାରୁଣ ସ୍ପନ୍ଦନ । ଯୁବକର ଚକ୍ଷୁପଟରେ କିଛି ନାହିଁ, ସବୁ ଶୂନ୍ୟ, ସବୁଆଡ଼ୁ ଶୂନ୍ୟ; ତାହାର ସମ୍ମୁଖରେ କେବଳ

 

ମାତ୍ର ବିଭୀଷିକା, ମାତ୍ର ଅତୀତର-ମଧୁର ଅତୀତର ସମୁଦାୟ କ୍ଳେଶମଧ୍ୟରେ ମର୍ମାନ୍ତିକ ଯନ୍ତ୍ରଣା ମଧ୍ୟରେ ଯୁବକର ସାନ୍ତ୍ୱନାସ୍ଫୂତ୍ତି ନିହିତ-ସାନ୍ତ୍ୱନା ସୁଧାର କଣିକାଟିଏ ଲୁକ୍‍କାୟିତ । ଯୁବକ ଦେଖୁଅଛି–ଯୁବକ ଶୁଣୁଅଛି । କ’ଣ ଦେଖୁଅଛି କ’ଣ ଶୁଣୁଅଛି, ସେହି ଜାଣେ । ତାହାର ଆକାଶ−ନିବିଷ୍ଟନୟନ ଦୂରାଗତ ତାରାଲୋକ ଲକ୍ଷ୍ୟ କରୁଛି କି ନାହିଁ ସନ୍ଦେହ । ତାହାର ସ୍ତବ୍‌ଧ ଶ୍ରବଣ, ଜାହ୍ନବୀର ମଧୁର କଳନିନାଦ ଉପଭୋଗ କରୁଅଛି । ମଧୁର ଯୌବନର ଅତୀତ ଆଶାର ଭଗ୍ନଚିତ୍ର, ଆଉ ଭଗ୍ନବୀଣାର ଛିନ୍ନତାରରେ ଏକ ବେସୁରାରାଗିଣୀ । ଯୁବକ ନିବିଷ୍ଟ ମନରେ ଚିନ୍ତାନିରତ । ତାହାର ହୃଦୟରେ ଏକ ଅପୂର୍ବ ଲାବଣ୍ୟମୟୀ ମୂର୍ତ୍ତି । ସେ ମୂର୍ତ୍ତି କ୍ଷଣେ ହସୁଅଛି, ଆକାଶ ଅଙ୍କସ୍ଥିତ ବିମଳ ଚନ୍ଦ୍ରମାତୁଲ୍ୟ କ୍ଷଣେ ହସୁଅଛି; ପୁଣି ପରକ୍ଷଣରେ ରୋଷ−ଜଜରିତ ବଦନରେ ଭ୍ରୂକୁଟି− କୁଟିଳ ନେତ୍ରରେ ଚାହୁଁଅଛି । ପରକ୍ଷଣରେ ସବୁ ଅନ୍ଧକାର; କିନ୍ତୁ ଅନ୍ଧକାରକୁ ଉଜ୍ଜ୍ୱଳ କରି ସେ ମୂର୍ତ୍ତି ଜଳି ଉଠୁଅଛି; କି ସାଧ୍ୟ ଅନ୍ଧକାର ତାହାକୁ ଘୋଡ଼ାଇ ରଖିବ ? ସେ ଦୀପ୍ତ ଆନନ୍ଦ, ନୈରାଶ୍ୟର ଘନ ଅନ୍ଧକାରରେ ଉଜ୍ଜ୍ୱଳ । ଯୁବକ ଦେଖୁଅଛି, ଭୁଲୁଅଛି, ନୟନରୁ ଅବିରଳ ଅଶ୍ରୁ ଝରୁଅଛି । ପୁଣି ପରକ୍ଷଣରେ ଆତ୍ମସଂଯମ କରି ଭାବୁଅଛି, କାହିଁକି କାହିଁକି ଏ ଚିନ୍ତା, ଏ ବିଳାପ, ଯେ ମୋହର ନୁହେ, ମୋହର ହେବ ନାହିଁ, ଯାହାର ଚିନ୍ତା ମଧ୍ୟ ପାପ, ପୁଣି ତାହାରି ଧ୍ୟାନ ତାହାରି ରୂପସୁଧାପାନ, ପ୍ରଭୁ ଶକ୍ତି ଦିଅ, ହେ ବିଶ୍ୱନାଥ ହେ କାଶୀନାଥ, ଶକ୍ତି ଦିଅ, ରକ୍ଷାକର ପ୍ରଭୁ-! ଯୁବକ ପୁଣି ଭାବିଲା, ଭାବନାରେ ଦୋଷ କ’ଣ ? ନିଷ୍ଠୁର ନିୟତି ତାହା ପ୍ରତି ବାମ, ମାତ୍ର ସେଥିରେ ତାହାର କି ଦୋଷ ? ଯୁବକ ନାନାକଥା ଭାବୁଅଛି-ଭବିଷ୍ୟତ୍, ବର୍ତ୍ତମାନ, ଅତୀତ । ଭବିଷ୍ୟତ୍ ଅନ୍ଧକାର−ମୟ, ଅଜ୍ଞାତ । ବର୍ତ୍ତମାନ ନୈରାଶ୍ୟ−କୁହେଳୀସମାଚ୍ଛନ୍ନ ! ଯୁବକ ଅନାଥ, ଆପଣାର କହିବାକୁ ତ୍ରିଜଗତରେ କେହି ନାହିଁ । ବାସ ନାହିଁ, କାର୍ଯ୍ୟ ନାହିଁ, ଯୁବକ ଅନାଥ । ଅଛି କେବଳ ଏକମାତ୍ର ସମ୍ୱଳ ବିଦ୍ୟା, ଆଉ କିଛି ନାହିଁ, ମାତ୍ର ଅଛନ୍ତି ମସ୍ତକୋପରି, ବିଶାଳ ଆକାଶୋପରି ଅନାଥର ନାଥ ବିଶ୍ୱର ସହାୟ ଭଗବାନ୍ । ବର୍ତ୍ତମାନ ତାହାଙ୍କ ଛଡ଼ା ଯୁବକର ଆଉ କେହି ନାହିଁ, ଅତୀତ-ଦୁଃଖର, ସ୍ମୃତିରେ ପୂର୍ଣ୍ଣ, ବାଲ୍ୟକାଳରୁ ମାତୃହୀନ, ମାତା ବୋଲି ଜାଣି ନାହିଁ, ଜ୍ଞାନତଃ ମା’ ବୋଲି ସମ୍ୱୋଧନ କରି ନାହିଁ । ଅତ୍ୟଳ୍ପ ବୟସରେ ପିତୃହୀନ । ପିତାଙ୍କର ମୁଖ ଛାୟାତୁଲ୍ୟ ଅସ୍ପଷ୍ଟ ପ୍ରତୀୟମାନ । ତତ୍‌ପରେ ପିତୃମାତୃତୁଲ୍ୟ ପୋଷଣକର୍ତ୍ତା ଓ ସ୍ନେହଦାତ୍ରୀ । ସେମାନଙ୍କର ବିଶାଳ ସେହ୍ନ, ଅଭାଗା ଭୁଲି ପାରୁ ନାହିଁ । ନିଜର ବିରାଟ ଅଯୋଗ୍ୟତା ସ୍ମରଣ କରି ହୃଦୟ କ୍ଷୁବ୍‌ଧ । ଯୁବକ ଅଧୀର, ଅଶାନ୍ତ, ଉଦ୍ଭ୍ରାନ୍ତ; ରାତ୍ରିର ଗଭୀରତା ପ୍ରତି ତାହାର ଦୃଷ୍ଟି ନାହିଁ, ଦୂରାଗତ ଝିଲ୍ଲିସ୍ୱନ ପ୍ରତି ତାହାର କର୍ଣ୍ଣ ନାହିଁ, ନୟନ ଓ ଶ୍ରବଣ ଉଭୟେ ଅନ୍ତରର ଅନ୍ତରତମ ରାଜ୍ୟରେ, ଯୁବକ ଧ୍ୟାନମଗ୍ନ । ସହସା କାହାର ଶୀତଳ କରସ୍ପର୍ଶ । ଯୁବକର ଧ୍ୟାନ ଭଗ୍ନ ହେଲା, ସେ ଉଠି ଠିଆ ହେଲା, ଆଗନ୍ତୁକ କର ଆକର୍ଷଣ କରି କହିଲା, “ଚାଲ ବାଞ୍ଛା ଦା, ରାତି ଯେ ୮ ଟା ହେଲାଣି । ଦାଦା ତୁମକୁ ନ ଦେଖି ମୋତେ କହିଲେ, ଯା’ ତ ରମେଶ ଦେଖିବୁ, ବାଞ୍ଛାନିଧି ବାବୁ କାହାନ୍ତି ? ମୁଁ ଖୋଜି ଖୋଜି ତୁମକୁ ନଦୀତଟରେ ଦେଖିଲେ । କ’ଣ ଏତେ ଚିନ୍ତା କରୁଛ ଭାଇ ?”

 

ଦୀର୍ଘନିଶ୍ୱାସ ସହ ବାଞ୍ଛାନିଧି କହିଲା, “ରମେଶ, ତୁମେ ବାଳକ, ତୁମର ଚିନ୍ତା କ’ଣ ? ତୁମର ପିତା ମାତା, ଦାଦା ବର୍ତ୍ତମାନ । ମୋପରି ହତଭାଗ୍ୟ ଅନାଥ ପିତୃମାତୃହୀନ ନିଃସହାୟ ହୋଇଥିଲେ ତୁମର ବି ଚିନ୍ତା ହୁଅନ୍ତା !” ରମେଶ ପରମ ସ୍ନେହରେ ବାଞ୍ଛାନିଧିର କର ମର୍ଦନ କରି କହିଲା, “ବାଞ୍ଛା ଦା, ଚିନ୍ତା କର ନା, ଭଗବାନ୍ ଅଛନ୍ତି । ଦାଦାଙ୍କର କଥା ଗୋଟାଏ, ତୁମେ ନିଶ୍ଚୟ ଚାକିରି ପାଇବ । ଆମରି ବନାରସୀ ଦୋକାନରେ ତୁମପରି ଲୋକ ରହିବା ତ ଦାଦାଙ୍କର ଭାରି ଇଚ୍ଛା ।”

 

ଏକ ଗଭୀର ଦୀର୍ଘନିଃଶ୍ୱାସ ସହ ବାଞ୍ଛାନିଧି କହିଲା, “ତା ତ ତୁମ ଦାଦାଙ୍କର ଅନୁଗ୍ରହ-।” ତାହାର ମୁଖର କଥା ନ ସରୁଣୁ ଯୁବକଦ୍ୱୟ ସଂକୀର୍ଣ୍ଣ ଗଳି ପଥରେ କ୍ଷଣକେ ଅଦୃଶ୍ୟ ହୋଇଗଲେ

 

 

( ୧୦ )

 

ସେହି କକ୍ଷ । ସେହି ଭିତ୍ତି । ଭିତ୍ତିଗ ତ୍ରସ୍ଥ ସେହି ଚିତ୍ର । ରାଧାମାଧବଙ୍କର ଯୁଗଳମୂର୍ତ୍ତି, ସେହି ଯମୁନାର ଜଳ କଳକଳ-ସେହି କାଳନ୍ଦୀକମଳ ଢଳଢଳ, ସେହି ରାଧାଙ୍କ ନୟନ ଛଳଛଳ, ଆଉ ସୁପାତିଶାୟିତା ଶେଫାଳୀର ନୟନ ଅଶ୍ରୁରେ ଟଳଟଳ । ଦୀର୍ଘ ଏକବର୍ଷ ବହୁ ସୁଖଦୁଃଖସମନ୍ୱିତ ଦୀର୍ଘ ଏକବର୍ଷ, ଅନୁର ଅନ୍ତର୍ଦ୍ଧାନର ଦୀର୍ଘ ଏକବର୍ଷ । ଏକବର୍ଷ ହେଲା ଅନଙ୍ଗ−ମୋହନ ହରିହର ନିଳୟ ତ୍ୟାଗ କରି ପୃଥିବୀର ମହାନ ବିଶାଳତା ମଧ୍ୟରେ କେଉଁଠାରେ ଲୁଚି ଯାଇଅଛି, ହଜି ଯାଇଅଛି, ମାତ୍ର ଏକବର୍ଷ ହେଲା ଶେଫାଳୀ ହୃଦୟ−ରାଜ୍ୟରେ ତାହାର ଆବାଲ୍ୟମଧୁର ମୂର୍ତ୍ତି ଆଜୀବନ ସୁନ୍ଦର ବରେଣ୍ୟ ରୂପ ମଧୁରତର ସୁନ୍ଦରତର ହୋଇ ଉଠୁଅଛି । ଶେଫାଳୀ ଗର୍ବିତା ଧନଶାଳିନୀ ଜମିଦାରଦୁହିତା । ଶେଫାଳୀ ଦୁଃଖ କ’ଣ ଜାଣି ନ ଥିଲା, ଅଭାବ କ’ଣ ବୁଝି ନ ଥିଲା । ଏବେ ମଧ୍ୟ ଦୁଃଖ କିଛି ନାହିଁ, ଅଭାବ କିଛି ନାହିଁ, ମାତ୍ର ଅଛି ଗୋଟାଏ ବିରାଟ ଶୂନ୍ୟତା । ସମଗ୍ର ହୃଦୟରେ ଏକ ବିଶାଳ ଅଭାବ ସମଗ୍ର ଅନ୍ତଃକରଣରେ ଏକ ଅନନୁଭୂତ କ୍ଳେଶ । ଶେଫାଳୀ ଯେ ଅନଙ୍ଗକୁ ଏତେ ସ୍ନେହ କରେ, ତାହା ତ ସେ ସ୍ୱପ୍ନରେ ଭାବି ନ ଥିଲା । ଯେତେଦିନ ଅନଙ୍ଗ ସେମାନଙ୍କର ପରିବାରଭୁକ୍ତ ଜଣେ ବାଳକ ଥିଲା, ସେତେଦିନ ତ ଶେଫାଳୀ ତାକୁ ବାଳକ ମାତ୍ର ଜାଣିଥିଲା । ସେତେଦିନ ତା’ ପିତାମାତା ବା ଅନ୍ୟ କାହାରିଠାରୁ ଘୃଣାକ୍ଷରେ କିଛି ଶୁଣି ନ ଥିଲା । ତେବେ କ’ଣ ଅନଙ୍ଗ ତାହାରି ଗର୍ବ ସକାଶେ, ତାହାରି ତାଚ୍ଛଲ୍ୟ ସକାଶେ ଦେଶତ୍ୟାଗୀ ହେଲା ? କିଏ ବା ଜମିଦାରପୁତ୍ର ନଟବର ? କିପାଁ ସେ ମାଳତୀ କଥାରେ ବିଶ୍ୱାସ କଲା ? ମାତାଙ୍କୁ ପଚାରି− ଥିଲେ କଣ ଏତେଦୂର ନିର୍ଲ୍ଲଜ୍ଜତା ହୋଇଥାନ୍ତା ? ଅକାରଣ ଏକା କଳ୍ପିତ ବ୍ୟକ୍ତିର ଧନ−ସମ୍ପଦ ମୋହ ପ୍ରଲୋଭନରେ ଭୁଲିଲା । ସେ କ’ଣ ଏଡ଼େ ଦୁର୍ବଳ ? ତାହାର ଉଚ୍ଚ ଶିକ୍ଷାର କି ଏହି କୁଫଳ ? ଅନୁ ତାହାକୁ ସ୍ନେହ କରେ, ସେ ସ୍ନେହକୁ ସେ ପୂଜା ନ କରି ତାହାକୁ ହିଁ ପାପ ବୋଲି ଘୃଣା କଲା । ଏପରି କ’ଣ ଜଗତରେ କେବେ ଘଟିଅଛି ? ମାତ୍ର ସେ ତ ଅନୁକୁ ଅନାଦର କରି ନାହିଁ, କଟୁକଥା କହି ନାହିଁ, ତେବେ କାହିଁକି ଅନୁ ତାକୁ ତ୍ୟାଗ କଲା । ତାହାର ଅତି ଆଦରର ଶିଉଳୀ ଫୁଲକୁ କାହିଁକି ଶୁଖିବାକୁ ପକାଇ ଦେଇଗଲା ? ନା ଅନୁ, ତୁମର କି ଦୋଷ, ତୁମେ ଯେ ଭାବିଅଛି ଶେଫାଳୀ ନଟବର, ଏ ଅପମାନ ସହ୍ୟ କରିବା ତୁମ୍ଭର ସାଧ୍ୟାତୀତ । ଏତେ−ବଡ଼ ଭୁଲ୍ କାହିଁକି ହେଲା ? କ୍ଷଣିକ ଭୁଲ୍ ରେ ଏତେବଡ଼ ସର୍ବନାଶ ହେଲା । କ୍ଷଣିକ ଭ୍ରାନ୍ତିରେ ପରିବାର ବିଧ୍ୱସ୍ତ ହେଲା । ତାହାର ଇହକାଳ ନଷ୍ଟ ହେଲା । ଶେଫାଳୀ ଆଉ ଭାବି ପାରିଲା ନାହିଁ, ତାହାର ନୟନପଲ୍ଲବ ଅଶ୍ରୁଭାର ସମ୍ଭାଳି ପାରିଲା ନାହିଁ, ଝର ଝର ଦର ଦର ବହିରଲା, ମର୍ମବେଦନାର ତପ୍ତଅଶ୍ରୁ ।

 

ଆଜିକାଲି ଶେଫାଳୀ ନିତାନ୍ତ ଏକାକିନୀ, ତାହାର ପାଠ ଶେଷ ହୋଇଅଛି, ସରଯୁଦିଦି କଲିକତା ଚାଲିଯାଇଅଛନ୍ତି, ଶେଫାଳୀ ଏକାକିନୀ, ତାହାର ହାରମୋନିୟମ, ପିଆନୋ, ଗ୍ରାମଫୋନ ପଡ଼ି ରହିଅଛି । ଅଳଙ୍କାର ବାକ୍‍ସରେ ଧୂଳି ପଡ଼ିଅଛି । ମୟୂର ପାରା ଓ ଠେକୁଆ ବିନି ଦାସୀର ହସ୍ତରେ−ତାହାର ଉଦ୍ୟାନଭ୍ରମଣ ବନ୍ଦ ହୋଇଅଛି । ସୂଚି−ଶିଳ୍ପର ଡାଲା ତାକରେ ଅଯତ୍ନଭାବରେ ପଡ଼ି ରହିଅଛି । କାର୍ପେଟ ବୁଣା ଛୁଞ୍ଚି ହଜିଅଛି । ନକସା କରିବା ପେଣ୍ଟ ବାକ୍‍ସ ଆଲମାରୀରେ ପଡ଼ି ରହିଅଛି । ଅରଟରେ ସୂତାକାଟା ବନ୍ଦ । ହାଣ୍ଡି ପିଢ଼ା ଚିତ୍ର କରିବା ସେ ଛାଡ଼ିଲାଣି । ଅଳତା, ଅଞ୍ଜନ ଓ କେଶରଞ୍ଜନ ଭୁଲିଲାଣି । ନିତି ରନ୍ଧାଘରେ ତିଅଣଟିଏ ରାନ୍ଧିବାକୁ ଯାଏ ନାହିଁ, ଗଲେ ମଧ୍ୟ ସୁସ୍ୱାଦୁ କରି ପାରେ ନାହିଁ, ଅଲଣା ଦରସିଝା କରି ଓହ୍ଲାଏ । ଗାଧୁଆ ତୁଠ ଗଳ୍ପରେ ତାହାର ଆସକ୍ତି ନାହିଁ, ବହି ପଢ଼ିବାକୁ ମନ ନାହିଁ, ରାମାୟଣ ଓ ମହାଭାରତର ଛତ୍ରେ ଦୁଇଛତ୍ର ପଢ଼ି କ୍ଳାନ୍ତି ବୋଧ ହୁଏ; ଶେଫାଳୀ ବଡ଼ ଅଳସୀ, ଉଠିବାକୁ ସକାଳେ ବେଳ ହୋଇ−ଯାଏ-। କାରଣ ତାହା ଦେହରେ ବଳ ନାହିଁ, ଚକ୍ଷୁ କୋଣରେ କାଳିମା, ମୁଖଟା ବଡ଼ ଧୋବଲା ବଡ଼ ଶେତା । ସଙ୍ଗିନୀମାନେ ଭାବନ୍ତି ଯୁବାକାଳ, ସେ ଗୋରୀ ଦିଶୁଅଛି, ମାତ୍ର ଏ ସବୁ ଲକ୍ଷ୍ୟ କରୁଅଛନ୍ତି ଜଣେ, ସେ ମାତା ଇନ୍ଦୁମୁଖୀ ।

 

ଇନ୍ଦମୁଖୀ କନ୍ୟାର ଏତାଦୃଶ ଦୁଃଖର କାରଣ ବୁଝି ପାରିଅଛନ୍ତି । କନ୍ୟାର ବୟସ ଗଲାଣି । କୋଡ଼ିଏ ପଡ଼ିଲେ ବୁଢ଼ୀ ହୁଅନ୍ତି, ଏତ ଚଳନ୍ତି କଥା । ଏତେ ବଡ଼ ଯୁବତୀ କନ୍ୟା, ଅବିବାହିତା ଅବସ୍ଥାରେ ପିତୃ−ଗୃହରେ କାଳକାଟିବ । ଦୁଃଖରେ ତାଙ୍କର ହୃଦୟ ଫାଟିଗଲା । ଜଣକ ସହିତ ସତ୍ୟ ହୋଇଅଛି ବୋଲି କ’ଣ ଶେଫାଳୀର ବିବାହ ଆଉ ଅସମ୍ଭବ ? ସ୍ୱାମୀକୁ ଏ କଥା କହିଲେ । ସ୍ୱାମୀ ସ୍ତ୍ରୀ ବହୁକ୍ଷଣ ବିଚାର କଲା । ନିଜେ ମୀମାଂସା କରି ପାରିଲେ ନାହିଁ । କୁଳ−ପୁରୋହିତକୁ ଡକାଇ ଗୋପନରେ ପରାମର୍ଶ କଲେ ।

 

କୁଳଯାଜକ ବୃଦ୍ଧ ଅଚ୍ୟୁତାନନ୍ଦ ରାଜଗୁରୁ ବିବାହରେ ବାଧା ନାହିଁ ବୋଲି ମତ ଦେଲେ । ଶାସ୍ତ୍ରୀୟ ଶ୍ଳୋକ ଗାଇଲେ, ହରିହରଙ୍କ ମନ ମାନିଲା । ପୁଣି କନ୍ୟାର ବିବାହ ଉଦ୍‌ଯୋଗ କଲେ । କଥା ଗୋପନ ରହିଲା ନାହିଁ । ନାନା ଆଡ଼ୁ ସମ୍ୱନ୍ଧ ଆସିଲା । ଅନେକେ ଅନୁପଯୁକ୍ତ ବିବେଚିତ ହୋଇ ପ୍ରତ୍ୟାଖ୍ୟାତ ହେଲେ । ବୃଦ୍ଧ ହରିହରଙ୍କର କିନ୍ତୁ କନ୍ୟାର ବିବାହ ଲାଗି ବିଶେଷ ଚାଞ୍ଚଲ୍ୟ ଦେଖା ନାହିଁ, ତାଙ୍କ ହୃଦୟ−କୋଣରେ କ୍ଷୁଦ୍ର କ୍ଷୀଣ ଆଶାଟିଏ ଥାଏ । କାନେ କାନେ କହୁଥାଏ କେଜାଣି ଅନଙ୍ଗ ଫେରି ଆସି ପାରେ, କାଳେ ଦୈବାତ୍ ଘନଶ୍ୟାମ ସହିତ କୃତ ପିତୃସତ୍ୟ ରକ୍ଷିତ ହୋଇ ପାରେ । ପିତୃସତ୍ୟ ରକ୍ଷା ଲାଗି ସ୍ୱୟଂ ରାମଚନ୍ଦ୍ର ବନକୁ ଯାଇଥିଲେ, ଆଜି ସେ କ’ଣ ଭକ୍ତ, ଦାସର ପିତୃସତ୍ୟ ରକ୍ଷା କରିବେ ନାହିଁ ? ଯାହାର ବ୍ୟଥା ସେ ଜାଣେ, ମାତ୍ର ପୁଣି ଦୀର୍ଘ ଏକବର୍ଷ ଗଲା, ଅନୁ ତ ଫେରିଲା ନାହିଁ, ଏଥର ବୃଦ୍ଧ ଚଞ୍ଚଳ ହେଲେ, ଅନେକ ବଛାବଛି ପରେ ଜଣକୁ ମନୋନୀତ କଲେ, ବରଟି ଶେଫାଳୀର ଉପଯୁକ୍ତ, ମାତ୍ର କେବଳ ଗୋଟିଏ ଅନ୍ତରାୟ ; ସେ ଗୃହାଜାମାତୃପଦ ବରଣାର୍ଥେ ନିତାନ୍ତ ଅନିଚ୍ଛୁକ । ସାତ ପାଞ୍ଚ ଭାବି ବୃଦ୍ଧ ସ୍ନେହମୟୀ କନ୍ୟାର ମାୟାପାଶ ଛେଦନ କରିନାହିଁ ଶ୍ରେୟ ବିବେଚନା କଲେ, ମାତ୍ର ମଧ୍ୟେ ମଧ୍ୟେ କନ୍ୟାକୁ ଗୃହକୁ ଆଣିବେ ଏହାହିଁ ସ୍ଥିର ହେଲା ।

 

ବିବାହର ଆୟୋଜନ ହେଲା । ଶେଫାଳୀର ଏ କଥା କର୍ଣ୍ଣଗୋଚର ହେଲା । ହତଭାଗିନୀର ମସ୍ତକରେ ଆକାଶ ଭାଙ୍ଗି ପଡ଼ିଲା । ଏଥର ପ୍ରକୃତରେ ଶେଫାଳୀ ଫୁଲଟି ମଉଳିବାକୁ ଲାଗିଲା । ଶୁଭବିବାହ ନିକଟବର୍ତ୍ତୀ ହେଲା । ସତେ ଯେପରି ଦୀର୍ଘରାତ୍ରି ପରେ ବିମଳ ପ୍ରଭାତ ଫୁଟି ଉଠିବ, ମାତ୍ର ସେହି ଶୁଭ ବିବାହର ପାତ୍ରୀ ସେହି ପ୍ରଭାତ ପବନରେ ଝଡ଼ି ପଡ଼ିବ ପରା । ତାହାର ସମଗ୍ର ଆଶା, ସକଳ ସାନ୍ତ୍ୱନା, ହୃଦୟର କ୍ଷୀଣ ବିଶ୍ୱାସ ଲୁପ୍ତ ହେଲା । ପ୍ରବଳ ଝଞ୍ଜାବାତରେ ଭଗ୍ନ ଦେବଦାରୁ ତୁଲ୍ୟ ଅଭାଗିନୀ ଭାଙ୍ଗି ପଡ଼ିଲା । ଶେଫାଳୀ ଶଯ୍ୟା ଗ୍ରହଣ କଲା ।

 

( ୧୧ )

 

କଲିକତା ମହାନଗରୀ, ବିଳାସର ଲୀଳାଭୂମି । ଇଙ୍ଗ୍ରାଜ ଜାତି ବିଳାସପ୍ରିୟ । ବାଇବେଲବର୍ଣ୍ଣିତ ଇଡେନ୍ ଉଦ୍ୟାନର ଅନୁକରଣରେ କଲିକତାର ଆଉଟ୍‌ରାମ୍ ଘାଟ ସନ୍ନିହିତ ସ୍ଥାନରେ ଇଡେନ୍ ଉଦ୍ୟାନ । ତାହାର ବିଶେଶତ୍ୱ ଏହି ଯେ ତାହା ଶିଳ୍ପନୈପୁଣ୍ୟଦ୍ୱାରା ବହୁ ବିସ୍ମୟୋତ୍ପାଦକ ପ୍ରାକୃତିକ ଦୃଶ୍ୟରାଜିରେ ପୂର୍ଣ୍ଣ । କ୍ଷୁଦ୍ର କ୍ଷୁଦ୍ର କୃତ୍ରିମ ଲତାକୁଞ୍ଜ, କୃତ୍ରିମ ବୃକ୍ଷମଣ୍ଡପ, ଅସଂଖ୍ୟ ପୁଷ୍ପିତ ତରୁ, ପକ୍ଷୀର ଆନନ୍ଦ−କୋଳାହଳ, ସାନ୍ଧ୍ୟ−ସମୀର−ସେବନ−ପ୍ରିୟ ନରନାରୀଙ୍କ ପକ୍ଷରେ ଇଡେନ୍ ଭ୍ରମଣ ଅପୂର୍ବ ସୁଖ ବୋଲି ଉପଲବ୍‌ଧ ହୁଏ । ଇଡେନ୍ ଉଦ୍ୟାନରେ ଅସଂଖ୍ୟ ଲୋକ−ସମାଗମ ହୋଇଥାଏ, ମାତ୍ର ବିଶେଷତଃ ଏକାକୀ ଭ୍ରମଣପ୍ରିୟ ଭାବୁକମାନେ ଏଠାକୁ ଆସିବାକୁ ଭଲ ପାନ୍ତି । ନିର୍ଜନ ଲତାକୁଞ୍ଜରେ ବସି ନିସର୍ଗନଳିନୀର ସୁମୋହନ ଛବି ହୃଦୟ ସ୍ୱତଃ ପ୍ରବୃତ୍ତ ହୁଏ । ବଙ୍ଗାଳୀ କଳ୍ପନାପ୍ରିୟ, କବିଜାତି, କେବଳ ବଙ୍ଗାଳୀ କାହିଁକି ଭାରତୀବାସୀ ପ୍ରତ୍ୟେକ ଜାତିର ରକ୍ତରେ ପୂର୍ବ ପୁରୁଷର ଅଧିକାରସୂତ୍ରରେ କଳ୍ପନାଧାରା ପ୍ରବାହିତ । ଯେଉଁ ଭୂମିରେ କାଳିଦାସ, ଭବଭୂତି, ଚଣ୍ଡୀଦାସ, ଉପେନ୍ଦ୍ର ଭଞ୍ଜଙ୍କର ଆବିର୍ଭାବ, ଯେଉଁ ଭୂମିରେ ରବୀନ୍ଦ୍ର, ହେମଚନ୍ଦ୍ର, ବଙ୍କିମ, ରାଧାନାଥଙ୍କ ଜନ୍ମ, ଯେଉଁ ଭୂମିରେ ଚୈତନ୍ୟ, କବୀର, ତୁଳସୀ ଦାସ, ଜଗନ୍ନାଥ ଦାସଙ୍କର ଅଭ୍ୟୁଥିାନ, ସେହି ଭୂମିରେ ଯେ କଳ୍ପନା−କଳ୍ପ−ବୃକ୍ଷ ବଢ଼ିଉଠିବ ଏହା ତ କିଛି ଆଶ୍ଚର୍ଯ୍ୟ ନୁହେ ।

 

ବର୍ଣ୍ଣିତ ସନ୍ଧ୍ୟାସମୟରେ ଜଣେ ଯୁବକ ଇଡେନ୍‍ର ବିସ୍ତୃତ କ୍ଷେତ୍ରରେ ପାଦଚାରଣା କରୁଅଛି । ଯୁବକର ପରିଚ୍ଛଦ ଓ ମୁଖଶ୍ରୀ ବଙ୍ଗବାସୀର ଅନୁରୂପ । ତାହାର ପରିଧାନ ଖଣ୍ଡିଏ ଢାକାଇ ଧୋତି, ଗୋଟିଏ ପଞ୍ଜାବି, ମସ୍ତକରେ କୁଞ୍ଚିତ ଫିରେଇ, ପାଦରେ ପମ୍ପ୍‌ସୁ, ହାତରେ ରିଷ୍ଟ୍ ଉଆଚ୍ । ସେ ଭ୍ରମଣ କରୁ କରୁ ଘଟନାକ୍ରମେ ଘାଟ ନିକଟରେ ଉପସ୍ଥିତ ହେଲା । ଗଙ୍ଗାର ଘାଟ; ଭାଗୀରଥୀର ପବିତ୍ର ଜଳରେ ଅସଂଖ୍ୟ ନୌକାଶ୍ରେଣୀ, ଜଳ ସେତେ ସ୍ୱଚ୍ଛ ନୁହେ, ପଙ୍କିଳ, ପୀତବର୍ଣ୍ଣ, ମାତ୍ର ସେହି ଜଳର ପବିତ୍ରତାରେ ନିଃସନ୍ଦେହମନା ଶତ ଶତ ଭକ୍ତ ସାଧୁ ସନ୍ନ୍ୟାସୀ, ନାଉରିଆ, ମାଝି ମହ୍ଲାମାନେ ଆପଣା ଆପଣା ପ୍ରୟୋଜନୀୟ କାର୍ଯ୍ୟ ସମ୍ପନ୍ନ କରୁଅଛନ୍ତି । ଅଦୂରରେ ବଡ଼ ବଡ଼ ଇଂଲିସ୍ ଷ୍ଟିମରଶ୍ରେଣୀ । ଯୁବକ ଚତୁର୍ଦ୍ଦିଗ ନିରୀକ୍ଷଣ କରୁ କରୁ ଶସ୍ପୋପରି ଉପବେଶନ କଲା ।

 

ସେହି ସମୟରେ ଜଣେ ନବୀନ ଆଗନ୍ତୁକ ତାହା ସହିତ ସ୍ୱତଃପ୍ରବୃତ୍ତ ହୋଇ ଆଳାପ ଆରମ୍ଭ କଲା । ଆଗନ୍ତୁକ ମଧ୍ୟ ବଙ୍ଗୀୟ ଯୁବକ, ପୂର୍ବୋକ୍ତ ଯୁବକ ତୁଲ୍ୟ ତାହାର ପରିଚ୍ଛଦ, ମାତ୍ର ଅତିରିକ୍ତର ନାମ ଗିରୀନ୍ଦ୍ରମୋହନ ଦେ । ଗିରୀନ୍ଦ୍ର ପୂର୍ବୋକ୍ତ ଯୁବକ ନିକଟରେ ଆସି ବସିଲା, ସିଗାରେଟର ଧୂମ ଉଦ୍‌ଗୀରଣ କରୁ କରୁ ତାକୁ ତାହାର ନାମ ଧାମ ପଚାରିଲା । ଅତ୍ୟଳ୍ପ କାଳ ମଧ୍ୟରେ ଉଭୟେ ବନ୍ଧୁ ହୋଇ ଗଲେ । ଆଜିକାଲି ବନ୍ଧୁତ୍ୱ ଅତି ସୁଲଭ । ପୂର୍ବୋକ୍ତି ଯୁବକର ନାମ ବାଞ୍ଛାନିଧି ପଟ୍ଟନାୟକ । ନାମଟା ଓଡ଼ିଶା-ମାତ୍ର କଲିକତାରେ ଓଡ଼ିଆର ଅଭାବ ନାହିଁ । ବାଞ୍ଛାନିଧି ବାବୁ ସୁରେଶ ଚାଟର୍ଯିଙ୍କର ବନାରସୀ ଦୋକାନରେ ଏଜେଣ୍ଟ । ଲୋକଟି ବିଶେଷ ଭଦ୍ର ଓ ସଚ୍ଚରିତ୍ର-। ଏହି ପରିଚୟ ଉତ୍ତାରେ ଗିରିନ୍ ଦେ ପ୍ରତ୍ୟେହ ସନ୍ଧ୍ୟାବେଳେ ବାଞ୍ଛା ନିଧି ବାବୁଙ୍କ ବସାକୁ ଆସି ନଦୀତଟ କ୍ଳବ୍ଆଦି ଭ୍ରମଣପାଇଁ ତାଙ୍କୁ ସଙ୍ଗରେ ଘେନିଯାଏ । ଉଭୟେ ଅବିବାହିତ, ଗିରିନ୍ କଲେଜର ଛାତ୍ର, ଏମ, ଏ, ଶ୍ରେଣୀରେ ଅଧ୍ୟୟନ କରେ ।

 

ପ୍ରଗାଢ଼ ବନ୍ଧୁତା ଫଳରେ ଉଭୟେ ଅତି ଘନିଷ୍ଠ ଆତ୍ମୀୟ ହେଲେ । ଏହି ସମୟରେ ଗିରିନ୍‍ର ବିବାହ ସମୟ ଉପସ୍ଥିତ ହେଲା । କନ୍ୟା କଲୁଟୋଲା ଷ୍ଟ୍ରୀଟସ୍ଥ ଭବାନୀଚରଣ ପାଲିତଙ୍କର ମଧ୍ୟମା କନ୍ୟା, ସୁନ୍ଦରୀ ସରସୀବାଳା ।

 

ଯୁବକ ବନ୍ଧୁବର ବାଞ୍ଛାନିଧିକୁ ବିବାହରେ ନିମତ୍ରଣ କଲେ, ଜୁଆଁର ଭୋଜନ ଦିନ ସଙ୍ଗରେ ଘେନିଗଲେ । ଫଳତଃ ଭବାନୀ ପାଲିତଙ୍କ ବସାରେ ମଧ୍ୟ ବାଞ୍ଛାନିଧିଙ୍କର ପରିଚୟ ହେଲା । ଏହିପରି ଦିନଗଲା ।

 

ଏକବର୍ଷ ଘନିଷ୍ଠ ପରିଚୟରେ ଗିରିନ୍‍ର ଶ୍ୟାଳକ ଶଶିଭୂଷଣ ଓ ଇନ୍ଦୁଭୂଷଣଙ୍କ ସହିତ ବାଞ୍ଛାନିଧିର ଅଭେଦ ପ୍ରୀତି ସ୍ଥାପିତ ହେଲା । ଏହି ସମୟରେ ଗିରିନ୍ ପାସ୍ କରି ଚାକିରି ଘେନି ନବ ବଧୂ ସହିତ ମୁର୍ଶିଦାବାଦ ଯାତ୍ରା କଲେ । ବାଞ୍ଛାନିଧି ବନ୍ଧୁ ବିରହରେ ବଡ଼ ଦୁଃଖିତ ହେଲେ, ମାତ୍ର ଶଶୀ ଓ ଇନ୍ଦୁ ଭୂଷଣଙ୍କ ସକାଶେ ଭବାନୀଭବନର ଦ୍ୱାର ତାଙ୍କ ନିକଟରେ ପୂର୍ବବତ ଅବାରିତ ରହିଲା । ଦିନ ୯ ଘଣ୍ଟା ହେଲାଣି । ଲୁଗାପଟା ପିନ୍ଧି ଶଶିଭୂଷଣ ତରତର ହୋଇ କଚେରୀକୁ ବାହାରି−ଅଛନ୍ତି । ଇନ୍ଦୁର ଜ୍ୱର ହୋଇଅଛି, ଠିକ୍ ସେହି ସମୟରେ ବାଞ୍ଛାନିଧି ବାବୁ ଉପସ୍ଥିତ । ବାଞ୍ଛାନିଧି ବାବୁଙ୍କୁ ଦେଖି ବଡ଼ ଆନନ୍ଦରେ ଶଶୀ ବାବୁ କହିଲେ “ଭଗବାନ୍ ରକ୍ଷା କଲେ, ଭାବିଥିଲି ଖବର ଦେବି, ଦିଦୀ ମୋର ଏହି ଦଶଟା ଗାଡ଼ିରେ ଆସୁଅଛନ୍ତି, ତାଙ୍କୁ ଆଣିବାକୁ ଏକେ ତ ମୋର ବେଳ ନାହିଁ, ପୁଣି ଇନ୍ଦୁର ଜ୍ୱର, ଆପଣ ଅନୁଗ୍ରହ କରି ସେ ଭାରଟି ନେଲେ ବାଧିତ ହୁଅନ୍ତି ।” ପରୋପକାରରେ ବାଞ୍ଛାନିଧି ସର୍ବଦା ତତ୍‌ପର । ସେହିକ୍ଷଣି ଶଶୀ ବାବୁଙ୍କ ଜ୍ୟେଷ୍ଠା ଭଗିନୀକୁ ଆଣିବା ସକାଶେ ଗାଡ଼ି କରି ଷ୍ଟେସନକୁ ବାହାରିଲେ ।

 

ଶିଆଲଦହ ଷ୍ଟେଷନରେ ଲୋକର ଭିଡ଼ ଅତିରିକ୍ତ । ଅପରିଚିତା ଆଗନ୍ତୁକାଙ୍କୁ ଚିହ୍ନିବାରେ ବାଞ୍ଛାନିଧି ବାବୁଙ୍କର କିଞ୍ଚିତ୍ ବିଳମ୍ବ ହେଲା ମାତ୍ର ସେ ନିରାଶ ହେଲେ ନାହିଁ । ଜଣେ ପ୍ରୌଢ଼ା ରମଣୀଙ୍କୁ ଦେଖି ଅନୁମାନରେ ବୁଝିଲେ, ସେହି ଶଶୀ ବାବୁଙ୍କ ଭଗିନୀ । ତାଙ୍କୁ ଶଶୀ ବାବୁଙ୍କ ନାମ କହିବା ମାତ୍ରକେ ତାଙ୍କ ଅନୁମାନ ଯଥାର୍ଥ ପ୍ରମାଣିତ ହେଲା । ରମଣୀ ଟିକିଏ ବିସ୍ମିତ ହୋଇ ପଚାରିଲେ, “ଆପଣଙ୍କ ନାମ କ’ଣ ବାଞ୍ଛାନିଧି ବାବୁ ?” “ଆଜ୍ଞା ହଁ,” ଏହା କହି ବାଞ୍ଛାନିଧି ସାଦର ଅଭିବାଦନ କରି ତାଙ୍କୁ ସଙ୍ଗରେ ଆଣି ଗାଡ଼ିରେ ବସାଇଲେ ଏବଂ ନିଜେ କୋଚ୍ ବାକ୍‍ସ ଉପରେ ବସି ପ୍ରସ୍ଥାନ କଲେ । ଅର୍ଦ୍ଧଘଣ୍ଟା ପରେ ଉଭୟେ ଭବାନୀ−ଭବନରେ ଉପସ୍ଥିତ ହେଲେ । ବାଞ୍ଛାନିଧି ଅବାକ୍ । ଆଗନ୍ତୁକା ରମଣୀଙ୍କ ନାମ ସରଯୁବାଳା ସରକାର । ଏ କ’ଣ ସେହି ସରଯୁ ଦିଦୀ ନୁହନ୍ତି ? ଠିକ୍ ସେହି ମୁଖାକୃତି, ସେହି ନାମ, ଭବାନୀ ପାଲିତଙ୍କ ଜ୍ୟେଷ୍ଠା କନ୍ୟା, ବାଳବିଧବା । କେଜାଣି କାହିଁକି ଯୁବକ ବାଞ୍ଛାନିଧିଙ୍କ ପ୍ରାଣ କାନ୍ଦି ଉଠିଲା, ସେ ଦିନ ସେ ଶୀଘ୍ର ବସାକୁ ଫେରିଗଲେ ।

 

ସରଯୂ ମେଜ ନିକଟରେ ବସି ବନ୍ଧୁମାନଙ୍କୁ ପତ୍ରାଦି ଲେଖୁଅଛନ୍ତି, ଡାକ ହରକରା ପତ୍ର ଦେଇଗଲା -ତାନୋଟି ଲଫାଫା, ଖଣ୍ଡିଏ କାର୍ଡ଼ । ପ୍ରଥମ ଲଫାଫା ହରିହର ବାବୁଙ୍କର-ଶେଫାଳୀର ବିବାହ ନିମତ୍ରଣ ଏବଂ ତାହାର ଶାରୀରିକ ଅସ୍ୱାସ୍ଥ୍ୟ ଜ୍ଞାପକ । ପ୍ରିୟତମା ଛାତ୍ରୀ ବିଷୟ ଚିନ୍ତା କରି ସରଯୂ ଦୁଃଖିତା ହେଲେ । ଶେଫାଳୀକୁ ସେ ବିଶେଷ ସ୍ନେହ କରନ୍ତି । ଦ୍ୱିତୀୟ ଲଫାଫା ତାଙ୍କର ବର୍ତ୍ତମାନ କର୍ମସ୍ଥଳର ଅଧିନାୟିକାଙ୍କ ଲିଖିତ, ବିଶେଷ କିଛି ନାହିଁ, କେବେ ଆସୁଅଛ ? କାର୍ଡ଼ ଖଣ୍ଡି ଭଗିନୀ ସରସରୀ । ଅନ୍ୟ ଲଫାଫା ଅପରିଚିତ ହସ୍ତାକ୍ଷରରେ ଶିରୋନାମା ଲିଖିତ । କୌତୁହଳୀ ସରଯୂ ତାହା ଶୀଘ୍ର ଫିଟାଇଲେ । ପାଠ

 

କରି ତାଙ୍କର ଚକ୍ଷୁସ୍ଥିର-ଏ କଣ ! ସ୍ୱପ୍ନ, ନା ସତ୍ୟ ! ପତ୍ରର କିୟଦଂଶ ଏହିପରି-“ଦିଦୀ, ଯେଉଁ ହତଭାଗ୍ୟ ବାଞ୍ଛାନିଧି ବୋଲି ପରିଚିୟ ଦେଇ ଆପଣଙ୍କୁ ଷ୍ଟେସନରୁ ଆଣିଥିଲା, ସେ ଆଉ କେହି ନୁହେ, ଆପଣଙ୍କର ସ୍ନେହର ଅନଙ୍ଗ, ଅଭାଗା ବଞ୍ଚିଛି, ମରି ନାହିଁ । ଆପଣଙ୍କର ଆଦେଶ ହେଲେ ଆପଣଙ୍କ ସହିତ ସାକ୍ଷାତ୍ କରି ହରିହର ବାବୁଙ୍କ ପରିବାରର ଖବର ଜାଣିବ ।”

 

ସରଯୂ ଦିଦୀ ଓ ଅନଙ୍ଗର ସାକ୍ଷାତ୍ ହେଲା, ଶେଫାଳୀର ବିବରଣ ଶ୍ରବଣ କରି ଅନଙ୍ଗର ଶରୀର ଅବଶ ହୋଇଗଲା । ଆତ୍ମକୃତ ଭୁଲସକାଶେ ଅନଙ୍ଗର ଆତ୍ମଦାହ ଉପସ୍ଥିତ ହେଲା । ସେ ଆଉ ବସି ପାରିଲା ନାହିଁ, ନିଜକୁ ଧିକ୍‍କାର ଦେଇ ଦେଇ ଶତ ଶତ କ୍ଷୁଦ୍ର ବୃହତ୍ ଗଳି ମୋଡ଼ ବାଙ୍କ ବୁଲି ଉଦ୍ଭ୍ରାନ୍ତ ଭାବରେ ଆସି ଶଯ୍ୟାରେ ଶୟନ କଲା । ପୂଝାରୀ ଅନ୍ନ ଦେଇଗଲା । ତାହା ଅସ୍ପୃଷ୍ଟ ହୋଇ ପଡ଼ି ରହିଲା । ଅନଙ୍ଗର ଆତ୍ମାଗ୍ଳାନିର ସୀମା ନାହିଁ । ଏଡ଼େ ବଡ଼ ଭ୍ରାନ୍ତି ! ପିତୃତୁଲ୍ୟ ସଦାଶୟ ହରିହର ବାବୁଙ୍କୁ ଅବିଶ୍ୱାସ ! ଗୋପମରେ କ୍ଷଣକର ଝୁଙ୍କରେ ନିଶାରେ ଉନ୍ମତ୍ତ ବ୍ୟକ୍ତପରି ଗୃହ ତ୍ୟାଗ କରି ପଳାୟନ ! କାହାକୁ ପଚାରିଲା ନାହିଁ, କେବଳ ସାନନ୍ଦ ପରିବାରର କଥାରେ ବିଶ୍ୱାସ କରି ଗୃହ ତ୍ୟାଗ କଲା । ନିଜେ କାନ୍ଦିଲା, ଶେଫାଳୀକୁ କନ୍ଦାଇଲା । ଅନଙ୍ଗ ଆଉ ଚିନ୍ତା କରି ପାରିଲା ନାହିଁ । ତାହାର ତିନିଦିନ ବଡ଼ ଜ୍ୱର ହେଲା । ଅଫିସ୍ ଯିବା ବନ୍ଦ ହେଲା-। ସୁରେଶ ବାବୁ ବ୍ୟସ୍ତ ହୋଇ ସମ୍ୱାଦ ଜାଣିବାକୁ ଭୃତ୍ୟ ପଠାଇଲେ, ଭୃତ୍ୟ ଖବର ଦେଲା, ବାବୁଙ୍କର ଜ୍ୱର ହୋଇଛି-। ଦେଖିବାକୁ ସୁରେଶ ରମେଶ ଧାଇଁ ଆସିଲେ ।

 

ଏକ ସପ୍ତାହ ପରେ ଅନଙ୍ଗ ଭଲ ହୋଇ କାର୍ଯ୍ୟକୁ ଗଲା । ଦୁଇଦିନ ପରେ ଅଫିସ ଫେରନ୍ତି ହଠାତ୍ ଶଶୀ ବାବୁଙ୍କ ଚାକର ଦ୍ୱାରରେ ଦଣ୍ଡାୟମାନ ଦେଖିଲା । ସରଯୂ ଦିଦୀ ଡାକି ପଠାଇ ଅଛନ୍ତି ।

 

ଅନଙ୍ଗ ଶୁଣିଲା, ଟେଲିଗ୍ରାମ ଆସିଅଛି- ଶେଫାଳୀର ବିଷମ ସାନ୍ନିପାତିକ (ଟାଇଫଏଡ଼୍) ଜ୍ୱର । ସେ ଅଜ୍ଞାନ ହୋଇ କକ୍ଷତଳେ ପଡ଼ିଗଲା ।

 

( ୧୨ )

 

ଶେଫାଳୀର ବିବାହ ଦୁଇଦିନ ମାତ୍ର ବାକି । ସମସ୍ତ ଆୟୋଜନ ଉଦ୍‌ଯୋଗ ପୂର୍ଣ୍ଣ । ହଠାତ୍ ଗାଧୋଇ ଆସି ଶେଫାଳୀ ନାସିକାରୁ ଗଳ ଗଳ ହୋଇ ରକ୍ତ ବହିଗଲା । ଇନ୍ଦୁ ଓ ହରିହର ବାବୁ ମୂର୍ଚ୍ଛିତପ୍ରାୟ ହେଲେ । ଡାକ୍ତର ଦିଗମ୍ୱର ଚୌଧୁରୀ, କବିରାଜ କାହ୍ନୁ ଚରଣ ହୋତା ଆସି ଉପସ୍ଥିତ ହେଲେ । ଡାକ୍ତର ଡିଗ୍ରୀ ଲଗାଇ ଦେଖିଲେ ୧୦୩ ଡିଗ୍ରୀ ଜର । ପରେ ପରେ ଦୁଇ ଥର ବାନ୍ତି ହେଲା, ପୁଣି ହେଲା ଭେଦ, ଡାକ୍ତର ବର୍ଣ୍ଣ ଦେଖି ଭୀତ ହେଲେ ! ଏ କଣ ଟାଇଫଏଡ଼୍ ? ବହୁଦର୍ଶୀ ଡାକ୍ତରଙ୍କର ମଧ୍ୟ ବଡ଼ ସନ୍ଦେହ ହେଲା । ରୋଗିଣୀର ଯଥୋପଯୁକ୍ତ ବ୍ୟବସ୍ଥା କରି ସନ୍ଧ୍ୟାକୁ ଆସିବେ କହି ଡାକ୍ତର ବିଦାୟ ହେଲେ ।

 

 

କବିରାଜ ପ୍ରବୀଣ, ତାଙ୍କର ହାତଯଶ ଗ୍ରାମରେ ଓ ଚାରିଆଡ଼େ ଘୋଷିତ । ସେ ନାଡ଼ିଦେଖି କହିଲେ ଜ୍ୱରଟି ବିଷମ । ହରିହର ଓ ଇନ୍ଦୁମୁଖୀଙ୍କର ହଁସା ଉଡ଼ିଗଲା । ଇନ୍ଦୁ ଚିତ୍କାର କରି କାନ୍ଦିବାକୁ ଲାଗିଲେ । ସେହିକ୍ଷଣି କଟକକୁ ତାର ପ୍ରେରିତ ହେଲା । ବହୁଦର୍ଶୀ ଡାକ୍ତର ଓ ସର୍ଜନମାନେ ପହଞ୍ଚିଲେ । ରୋଗୀକୁ ପରୀକ୍ଷା କଲେ । ସମସ୍ତେ କହିଲେ ଟାଇଫଏଡ଼୍ । ଅଙ୍ଗରେ ଲାଲବର୍ଣ୍ଣ ଚିହ୍ନମାନ ବାହାରି ପଡ଼ିଲା, ଜ୍ୱର ଦିନକୁଦିନ ବଢ଼ିବାକୁ ଲାଗିଲା ।

 

ଏହିପରି ଏକସପ୍ତାହ ଗଲା । ଇନ୍ଦୁଙ୍କର ଖିଆପିଆ ନାହିଁ, ଏକମାତ୍ର ସନ୍ତାନର ଏ ଦୁର୍ଦ୍ଦଶା ସ୍ୱଚକ୍ଷୁରେ ଦେଖିବା ଅପେକ୍ଷା ମରିବା ଭଲ । ଦିନ ନାହିଁ, ରାତ୍ର ନାହିଁ, ଇନ୍ଦୁ ଶଯ୍ୟା ନିକଟରେ, ରୋଗିଣୀର ଅଙ୍ଗ ଅଗ୍ନିପରି ଉତ୍ତପ୍ତ, ଖଇ ଫୁଟୁଅଛି, ସେ ଅଜ୍ଞାନ, ପ୍ରଳାପ କରୁଅଛି । ତାହାର ଚକ୍ଷୁ ରକ୍ତବର୍ଣ୍ଣ । ଡାକ୍ତରମାନେ ଭରସାହୀନ । ସମସ୍ତେ ଏକ ବାକ୍ୟରେ କହିଲେ, ଏ ଜ୍ୱରରେ ଶୁଶ୍ରୂଷାଦି ଏକମାତ୍ର ଚିକିତ୍ସା, ଦୀର୍ଘ ଏକମାସ ଜ୍ୱର ଭୋଗ । ଦୀର୍ଘ ଏକମାସ ପ୍ରତି ମୁହୁର୍ତ୍ତ ଜଗିରହି ଉତ୍ତମରୂପେ ଧୀର ଚିତ୍ତରେ ଶୁଶ୍ରୂଷା କରିବାକୁ ହେବ । ନୋହିଲେ ରୋଗିଣୀର ଜୀବନାଶଙ୍କା । କିନ୍ତୁ ଇନ୍ଦୁ ସେ ଶକ୍ତିବିହୀନ । ତାଙ୍କର ସମଗ୍ର ମାତୃହୃଦୟ ସନ୍ତାନର ଅନିଷ୍ଟାଶଙ୍କାରେ ଅଭିଭୂତ । ସେ ତ ନିଜେ କ୍ଷଣେ କ୍ଷଣେ ମୂର୍ଚ୍ଛିତା ହେଉଅଛନ୍ତି, ଶେଫାଳୀର କି ସେବା କରିବେ, ହରିହର ବାବୁ ଆଉ କାହା ଉପରେ ଭରସା କରି ପାରିଲେ ନାହିଁ । ତତ୍‌କ୍ଷଣାତ୍ ସରଯୂ ନିକଟକୁ ଅର୍ଜେଣ୍ଟ ଟେଲିଗ୍ରାଫ୍ ହେଲା-“ଶୀଘ୍ର ନର୍ସ ଡାକ୍ତର ଘେନି ଆସ, ଶେଫାଳୀର ଟାଇଫଏଡ୍ ।” ପରଦିନ ସରଯୂ ଉପସ୍ଥିତ । ସଙ୍ଗେ ସଙ୍ଗେ ଅନଙ୍ଗ ମୋହନ । “ଆସିଛ ବାବା, ଆସିଛ” କାନ୍ଦି କାନ୍ଦି କହି ହରିହର ମୂର୍ଚ୍ଛିତ ହେଲେ । ଅନୁ କିନ୍ତୁ ଦୃଢ଼ । ତାହାର କି ଏ ସମୟରେ କାନ୍ଦିବାର କଥା, ସେ ଅଣ୍ଟା ଭିଡ଼ି ଶେଫାଳୀର ଶଯ୍ୟାରେ ବସିଲା । କଲିକତାର ବିଖ୍ୟାତ ଡାକ୍ତର, ରମେଶର ପ୍ରାଣଦାତା ଟି. ଏମ୍. ବାନୁର୍ଯ୍ୟା ଚିକିତ୍ସାର ଭାର ନେଲେ । ସରଯୂ ଅନୁର ସାହାଯ୍ୟାର୍ଥ ରହିଲେ । ଇନ୍ଦୁ ଓ ହରିହର ଅବ୍ୟାହତି ପାଇଲେ । ରୋଗର ପ୍ରକୋପ ଅତ୍ୟନ୍ତ ପ୍ରବଳ । ଦିନ ପରେ ଦିନ ଯାଉଅଛି; ମାତ୍ର ରୋଗର ବୃଦ୍ଧି ବିନା ହ୍ରାସ ନାହିଁ । ଶେଫାଳୀ ସମ୍ପୂର୍ଣ୍ଣ ଅଜ୍ଞାନ, ତାହାର ଚକ୍ଷୁ ନିସ୍ତେଜ; ସର୍ବାଙ୍ଗ ଝାଳ, ଅସ୍ପଷ୍ଟ ପ୍ରଳାପ, ସେ ଅଜ୍ଞାନ ଅବସ୍ଥାରେ ଶଯ୍ୟା ଦରାଣ୍ଡୁ ଅଛି, କଣ ଗୁଡ଼ାଏ କହିଯାଉଅଛି । ସମସ୍ତେ ଭୀତ । ସ୍ୱୟଂ ଡାକ୍ତର ବାବୁ ଟି. ଏନ୍ ବାନୁର୍ଯ୍ୟାଙ୍କର ଆଶା ଭରସା କ୍ରମେ କ୍ଷୀଣ ହେଲାଣି; ମାତ୍ର କେବଳ ଅନଙ୍ଗ ହୃଦୟରେ ପ୍ରବଳ ଆଶା । ଶେଫାଳୀର ଜୀବନ ମୃତ୍ୟୁସଂଗ୍ରାମରେ ଅନଙ୍ଗ ହିଁ ଏକମାତ୍ର ଜୀବନ ଦେବାକୁ ପ୍ରସ୍ତୁତ । ତାହାର ସମଗ୍ର ଶକ୍ତି ଏକତ୍ରିତ କରି ସେ ଯୁଦ୍ଧ କରୁଅଛି । ଘଣ୍ଟାକୁ ଔଷଧ, ଘଣ୍ଟା କୁ ଘଣ୍ଟା ପଥ୍ୟ ନିୟମିତ−ରୂପେ ଦେଉଅଛି । ତାହାର ଶ୍ରାନ୍ତି ନାହିଁ, ଆହାର ନାହିଁ, ନିଦ୍ରା ନାହିଁ, ହୃଦୟରେ ଭୟ ନାହିଁ, ଅବିଶ୍ୱାସ ନାହିଁ, ଭଗବାନ ଅଛନ୍ତି, ଏତିକି ମାତ୍ର ଭରସା । ତାହାଙ୍କ ଇଚ୍ଛା ବିନା କି କେହି ମରି ପାରେ ?

 

ଆଜି ରୋଗର ଏକୋଇଶ ଦିନ, ଆଜି ଜଣାଯିବ, ଏପାରି କି ସେପାରି । ଅତି ପ୍ରଭାତରୁ ଅନଙ୍ଗ ବସି ରହିଲା । ସେ ଆଜି ଜଳ ଗ୍ରହଣ କରି ନାହିଁ, ଏକ−ଧ୍ୟାନରେ ଈଶ୍ୱରଙ୍କୁ ଡାକୁଅଛି । ସରଯୂ ଆସି ବିଶେଷ ବକାବକି କରିବାରୁ ଟିକିଏ ଚାହା ଖାଇଅଛି । ସାରା ଦିନଟା ଗଲା । ସନ୍ଧ୍ୟାରୁ ଡାକ୍ତର ବାବୁ ଔଷଧ, ଇଞ୍ଜେକ୍‍ସନ ଯନ୍ତ୍ରାଦି ଘେନି ରୋଗୀ ଶଯ୍ୟା ନିକଟରେ ବସି ରହିଲେ, ମସ୍ତକ ଉପରେ ଅନଙ୍ଗମୋହନ, ପାର୍ଶ୍ୱରେ ସରଯୂ । ଘଣ୍ଟା ଘଣ୍ଟା ହୋଇ ରାତ୍ରି କଟିବାକୁ ଲାଗିଲା । ଡାକ୍ତର ଗୋଟାଏ ଦୁଇଟା ଇଞ୍ଜେକ୍‍ସନେଲେ । ସରଯୂ ଚାମଚେ ପଥ୍ୟ ଦେଲେ । ମାତ୍ର ତୋକି ହେଲା ନାହିଁ, କଳବାଟେ ବହିଗଲା ।

 

ରାତ୍ରି ପାଞ୍ଚଟା, ରୋଗିଣୀର ସର୍ବାଙ୍ଗ ଶୀତଳ, ପ୍ରାଣବାୟୁ ଗତପ୍ରାୟ ! ଡାକ୍ତର ଉଠି ନାଡ଼ି ଦେଖିଲେ, ନାଡ଼ି ନାହିଁ । ଇଞ୍ଜେକ୍‍ସନ ଦେଲେ, ନାଡ଼ି ଫେରି ଆସିଲା । ଆଉ ଏକଘଣ୍ଟା, ପୁଣି ନାଡ଼ି ଦେଖିଲେ ପୁଣି ନାଡ଼ି ଛାଡ଼ିଲାପରି । ପୁଣି ଇଞ୍ଜେକ୍‍ସନ ଦେଲେ । ଏଥର ଅନୁର ମଧ୍ୟ ଭୟ ହେଲା-। ସେ ଆଉ ସମ୍ଭାଳି ପାରିଲା ନାହିଁ । ଡାକ୍ତର ବାବୁଙ୍କ ହାତରେ ରୋଗୀକୁ ଛାଡ଼ିଦେଲା । ଏକ ଦୌଡ଼ରେ ଯାଇ ଗୃହଦେବତା ଜଗନ୍ନାଥଙ୍କ ଚପଣରେ ପଡ଼ି ରହିଲା । କିଏ ଜାଣେ ସେ କଣ ପ୍ରାର୍ଥନା କରୁଥିଲା । ମାତ୍ର କେହି କିଛି ଶଦ୍ଦ ଶୁଣିଲେ ନାହିଁ । ଏକଘଣ୍ଟା, ଦୁଇଘଣ୍ଟା, ତିନିଘଣ୍ଟା, ଚାରିଘଣ୍ଟା ଗୋଟିଏ ଘାଟି ଗଲା । ଅନୁ ଦେବମନ୍ଦିରରୁ ଫେରି ଆସିଲା । ତାହାର ମୁଖରେ ଲେଶମାତ୍ର ଭୟର ଚିହ୍ନ ନାହିଁ । “ରଖେ ହରି ମାରେ କେ, ମାରେ ହରି ରଖେ କେ ।”

 

ଆଜି ରୋଗର ଚବିଶ ଦିନ । ଆଜି ମଧ୍ୟ ଗୋଟାଏ ଘାଟି ଗଲା । ଏବେ ସବୁଠାରୁ ଶେଷ ଘାଟି ଆସିଲା । ଆଜି ପୂର୍ଣ୍ଣ ଅଠେଇଶ ଦିନ । ରୋଗୀ କେତେ ସହିବ ? ତାହାର ହାତ ଗୋଡ କାଠପରି, ମୁଖରେ ରକ୍ତର ଚିହ୍ନ ନାହିଁ, କପାଳ ଶୀତଳ । ଶଯ୍ୟାରେ ମିଶି ଯାଇଅଛି । ହେଇ ପ୍ରାଣ ଗଲା, ପ୍ରାଣଗଲା । ସମସ୍ତେ ଭୟାକୁଳ । ଇନ୍ଦୁ କ୍ଷଣେ କ୍ଷଣେ ମୂର୍ଚ୍ଛିତା, ସରଯୂ ଓ ଡାକ୍ତର ବାବୁ ସମସ୍ତେ ଭରସାହୀନ । ମାତ୍ର କେଜାଣି କାହିଁକି ଅନଙ୍ଗର ତିଳେ ମାତ୍ର ଭୟ ନାହିଁ । ତାହାର ଦୃଢ଼ ବିଶ୍ୱାସ ଶେଫାଳୀ ବଞ୍ଚିବ । ଠାକୁର କଣ ପ୍ରତାରଣା କରିବେ ? ସେ ସାରାଦିନ ଜଗିଲା, କ୍ଷଣେ କ୍ଷଣେ ନାଡ଼ି ଛାଡ଼ି ଯାଉଅଛି । ଡାକ୍ତର ବାବୁ ଲବଣ ଓ ସର୍କରା ଜଳର ପିଚକାରୀ ବ୍ୟବସ୍ଥା କଲେ; ମାତ୍ର ଏତେ ହେଲେ ସୁଦ୍ଧା ଅନଙ୍ଗ ଆଶାହୀନ ନୁହେଁ । ସେ ଏକ−ଧ୍ୟାନରେ ଜୀବନ−ମୃତ୍ୟୁର ସଂଗ୍ରାମ ଦେଖୁଅଛି । ଏକମନରେ ଠାକୁରଙ୍କୁ ଡାକୁଅଛି, ଏକହୃଦୟରେ ଠାକୁରଙ୍କୁ ପ୍ରାର୍ଥନା କରୁଅଛି, ସହସା ଡାକ୍ତର ବାବୁ ଲକ୍ଷ୍ୟ କଲେ, ଧୀରେ ଧୀରେ ରୋଗିଣୀର ମୁଖାକୃତି ପରିବର୍ତ୍ତିତ ହେଉଅଛି । ତାଙ୍କର ଆଶା ଫେରି ଆସିଲା ।

 

ଦିନେ, ଦୁଇଦିନ ଏକ ସପ୍ତାହ; ଶେଫାଳୀ ଏଥର ରୋଗମୁକ୍ତ । ତାହାର ପ୍ରଥମ ଜ୍ଞାନ ସଞ୍ଚାର ସଙ୍ଗେ ସଙ୍ଗେ ସେ ଦେଖିଲା ଶିରୋପରି ଅଦ୍ଭୂତ ମୂର୍ତ୍ତି ! ଏ କଣ ସ୍ୱପ୍ନ ! ଜ୍ୱର ବିକାର । ତାହାର କ୍ଷୀଣ ଓଷ୍ଠାଧର ହଲିଲା, କ୍ଷୀଣକଣ୍ଠରେ ଡାକିଲା, ପ୍ରଳାପ ନିଶ୍ଚୟ, ‘ଅନୁ’ ‘ଅନୁ’ !

 

ଅନୁ ଶୁଣି ପାରିଲା । ମୁଖ ନିକଟରେ କର୍ଣ୍ଣ ନିବେଶ କଲା । ପୁଣି ମୃତ୍ୟୁରାଜ୍ୟରୁ ପ୍ରତ୍ୟାଗତ ବ୍ୟକ୍ତି ପରି ଶେଫାଳୀ ଡାକିଲା । ଅନୁ ‘ଏ ଯେ ମୁଁ ।’ ଆହ୍ଲାଦରେ ଅନୁ ଉତ୍ତର କଲା । ପରକ୍ଷଣରେ ରୋଗିଣୀ ଡାକିଲା, ‘ମା ।’ ଆହୁରି ଏକ ସପ୍ତାହ, ଶେଫାଳୀ ଶଯ୍ୟାରେ ଉଠି ବସିଲା । ଅନଙ୍ଗକୁ ଦର୍ଶନ କରି ତାହାର ଦୁର୍ବଳ ଦେହ ଶୀଘ୍ର ସବଳ ହେଲା । ଆଶାତୀତ ଫିସ ଓ ପୁରସ୍କାର ପାଇ ଡାକ୍ତର ବାବୁ କଲିକତା ପ୍ରସ୍ଥାନ କଲେ । ଅନୁ ଓ ସରଯୂ ରହିଲେ । ଶେଫାଳୀ ଅତି ଦୁର୍ବଳ, ତାହାର ଶୁଶ୍ରୂଷା କରିବାକୁ ସରଯୂ ଓ ଅନୁ ଛଡ଼ା କିଏ ପାରିବ ?

 

ଅନଙ୍ଗର ଏତାଦୃଶ ଅଦ୍ଭୁତ ଶୁଶ୍ରୂଷାରେ ହରିହର ଓ ଇନ୍ଦୁମଖୀ ବିସ୍ମିତ ହେଲେ । ତାହାର ଐକାନ୍ତିକ ଯତ୍ନରେ ଶେଫଳୀ ପ୍ରାଣ ରାଇଲା ।

 

ଏହା କି ଭୁଲିବା କଥା ? ବର୍ତ୍ତମାନ ଶେଫାଳୀ ଉଠି ବୁଲିପାରେ । ମାତ୍ର ଭୟାକୁଳ ଅନୁ ତାକୁ ବାରମ୍ବାର ବାରଣ କରୁଥାଏ । ତହିଁରେ ଶେଫାଳୀର ଶୀର୍ଣ୍ଣ ଅଧର ହାସ୍ୟରେ ଉଦ୍ଭିନ୍ନ ହୁଏ । ଅନୁର ତାହାହିଁ ପୁରସ୍କାର ।

 

ଶେଫାଳୀର ରୋଗ ମୁକ୍ତିପାଇଁ ଅନୁର ଅଦ୍ଭୁତ ଆତ୍ମତ୍ୟାଗ ବିଶେଷତଃ ତାହାର ଠାକୁର ଘରେ ଧାରଣା ଦେବା କଥା ଯେ ଶୁଣିଲା, ସେ ଆଶ୍ଚର୍ଯ୍ୟ ହେଲା । ‘ଧନ୍ୟ ଅନୁ ! ଧନ୍ୟ ଅନୁ !’ ଦେଶସାରା ଚହଳ ପଡ଼ିଗଲା । ଠାକୁର ଘର ନାମରେ ଅଧିକା ବୃତ୍ତିଟିଏ ଖଞ୍ଜା ହୋଇ ଆର୍ତ୍ତସେବା ସକାଶେ ଦତ୍ତ ହେଲା । ହରିଲୁଟ୍ ହେଲା ।

 

( ୧୩ )

 

‘ବାବା ! ତୁମ୍ଭର ବିଶ୍ୱସ୍ତ ଆଉ ଉଦାର ବ୍ୟବହାର ସକାଶେ ମୁଁ କଣ ପୁରସ୍କାର ଦେଇପାରେ ? ବାବା ! ତୁମେ ଯାହାକୁ ବଞ୍ଚାଇଛ, ସେହି ଶେଫାଳୀକୁ ତୁମକୁ ଦେଲି । ତୁମ ଦୁଇ ଜଣଙ୍କୁ ସୁଖୀ ଦେଖି ମୁଁ ମରିବାକୁ ଚାହେଁ ।’ ଶେଫାଳୀର ରୋଗମୁକ୍ତିର ଦଶମାସ ପରେ ଦିନେ କଚେରି ଫେରନ୍ତି ହରିହର ବାବୁ ଅନଙ୍ଗକୁ ପୂର୍ବୋକ୍ତ କଥାମାନ କହିଲେ । ଅନଙ୍ଗ ମସ୍ତକ ନୁଆଇଁ ପ୍ରଣାମ କଲା । ବୃଦ୍ଧ ପ୍ରୀତ ହେଲେ । ଯଥା ସମୟରେ, ବହୁ ସମାରୋହରେ ଜମିଦାର–ଦୁହିତା ଶେଫାଳିକା ସହିତ ସୁଯୋଗ୍ୟ ଦେବାନପୁତ୍ର,

 

ସର୍ବଗୁଣାଳଙ୍କୃତ ଅନଙ୍ଗମୋହନ ମହାନ୍ତିଙ୍କର ଶୁଭ–ପରିଣୟ ଯଥାବିଧି ସମ୍ପାଦିତ ହେଲା । ବ୍ରାହ୍ମଣଭୋଜନ, ଆର୍ତ୍ତ ଓ ଦରିଦ୍ରନାରାୟଣ ସେବା ଏବଂ ଠାକୁରଘରକୁ ଯଥାସାଧ୍ୟ ଦାନ ଧ୍ୟାନ କରାଗଲା ।

 

ଆଜି ଯେପରି ସମସ୍ତ ଦୁଃଖର ଅବସାନ । ବରବେଶରେ ସଜ୍ଜିତ ଅନଙ୍ଗମୋହନ ଶେଫାଳୀ କୁସୁମ ପାର୍ଶ୍ୱରେ ମୃତ ଦୀନବନ୍ଧୁଙ୍କ ପରିହାସୋକ୍ତି ‘ହର ଗୌରୀ ତୁଲ୍ୟ ଶୋଭା ପାଇଲେ-।’ କବିଭାଷାରେ ଯେପରି ‘ସୁବର୍ଣ୍ଣ ବୃକ୍ଷରେ ହୀରକ ପୁଷ୍ପ ।’

 

ବିବାହରେ କଲିକତାରୁ ଅନୁର ଆଶ୍ରୟଦାତା ସୁରେଶ ଓ ରମେଶ, ଗିରୀନ୍ଦ୍ର ଏବଂ ସରଯୂ ଦିଦୀଙ୍କ ପରିବାରରେ ସମସ୍ତେ ନିମନ୍ତ୍ରିତ ହୋଇ ଆସିଲେ । ଆନନ୍ଦର ମାତ୍ରା ପୂର୍ଣ୍ଣ ହେଲା । ରମେଶ ବାଞ୍ଛାଦାଙ୍କୁ ନାନାପ୍ରକାର ଅଭିନବ ବେଶରେ ସଜାଇବାକୁ ଲାଗିଲା । ଗିରୀନ୍ଦ୍ରଙ୍କର ତ କଥା ନାହିଁ । ସେ ଓ ତାଙ୍କ ପତ୍ନୀ ଉପଯୁକ୍ତ ବନ୍ଧୁପରି ନାନା ହାସ ପରିହାସ ଓ ଆମୋଦପ୍ରମୋଦ ଦ୍ୱାରା ନବଦମ୍ପତିକୁ ଆପ୍ୟାୟିତ କଲେ ।

 

ହରିହର ଯଥାସାଧ୍ୟ ଅର୍ଥବ୍ୟୟରେ ତ୍ରୁଟି କଲେ ନାହିଁ । ଏହା ଯେ ତାଙ୍କର ଏକମାତ୍ର ଦୁହିତାର ବିବାହ !

 

ଉପସଂହାର

 

ମଧ୍ୟାହ୍ନ । ଶେଫାଳୀ ଓ ଅନୁ ସୁପାତିଶାୟିତ, ପାଶ୍ୱରେ ଏକବର୍ଷର ଶିଶୁପୁତ୍ର ବିନୟାନନ୍ଦ ଖେଳୁଅଛି । ମାତା ବଡ଼ ସ୍ନେହରେ ପୁତ୍ରର ସୁନ୍ଦର ମୁଖଶ୍ରୀକୁ ଚାହିଁ ଚାହିଁ ବିଭୋରା । ଏହି ସମୟରେ ଅନୁ ପଚାରିଲେ, “ଶେଫାଳୀ ! ତୁମର ମନେ ଅଛି ସେ ଦିନ କଥା, ଯେଉଁଦିନ ରାତିରେ ତୁମେ କାନ୍ଦି କାନ୍ଦି ମୋତେ କହିଥିଲ, ‘କଲିକତା ଯାଆନା, ତୋତେ ଚୋର କାଟି ପକାଇବ ।’ ଭାଗ୍ୟକୁ ମୁଁ କଲିକତା ଗଲି, ଏତେ କାଣ୍ଡ ହେଲା ! ଏ କାହାର ଭ୍ରାନ୍ତି ?” ଶେଫାଳୀ ନିରୁତ୍ତର ରହିଲା ।

 

ପୁଣି ଅନୁ କହିଲେ, “ଦେଖ ତ ସାମାନ୍ୟ ଭ୍ରାନ୍ତିରେ କେତେବଡ଼ କାଣ୍ଡ ହେଲା ! ଆମ ଦୁହିଙ୍କର ଭୁଲ । ତୁମର ବୁଝିବାର ଭୁଲ, ତୁମେ ମାଙ୍କୁ ପଚାରିଲ ନାହିଁ; ମୋର କାର୍ଯ୍ୟରେ ଭୁଲ, ମୁଁ ବାବାଙ୍କୁ ପଚାରିଲି ନାହିଁ ।”

 

ଶେଫାଳୀ ସୁଦୀର୍ଘ ନିଃଶ୍ୱାସ ସହ କହିଲା, “ସେ ସବୁ କଥା ଛାଡ଼, ମନେ କଲେ ମୋର କଷ୍ଟ ହୁଏ । ଭାଗ୍ୟକୁ ତୁମେ ଆସିଲ ବୋଲି ମୁଁ ବଞ୍ଚିଲି, ନୋହିଲେ ଦେହ ପାଉଁଶ ମାଟିରେ ମିଶନ୍ତାଣି ।”

 

ଅନୁ ପରମ ସ୍ନେହରେ ବ୍ୟଙ୍ଗଛଳରେ କହିଲେ, “ଆଉ ମୁଁ ଧାରୁଆ ହୋଇ ରହିଥାନ୍ତି ! ମନେ କରତ, ମୋର ମୁଣ୍ଡ ଫାଟି ଯାଇଥିଲା, କିଏ ସେବା କରିଥିଲା ?”

 

ଶେଫାଳୀ ହସି ହସି କହିଲା, “ଛି, ମୁଁ କରି ନାହିଁ ! ମୁଁ ତ ଏଡ଼େ ସାନ ଥିଲି । ତୁମେ ତ ମତେ ଜୀବନ ଦେଲ ।” ଅ-ମୁଁ ଦେଲି । ମୋ ନା କହ ନା । କହ ଭଗବାନ୍ ! ଶେଫାଳୀ ଭକ୍ତିଭରେ କହିଲା, “ଭଗବାନ୍ ଦେଲେ, ଆଉ ଦେଲେ” ( ଏହା କହି ପୁତ୍ରକୁ ଟାଣି ଆଣି ସ୍ୱାମୀ କୋଳରେ ଦେଇ ପରମ ଆଦରରେ କହିଲା ) ଆଉ ଦେଲେ ଏହି ନଣ୍ଡାମୁଣ୍ଡା, ଏହି ଏକୋଇର ବଳା ବିଶିକେଶନ !” ଏହା କହି ପିଲାର ଗାଲ ଟିପି ଦେଲା । ସେ ହସୁ ହସୁ କାନ୍ଦି ପକାଇଲା । “ମାଁ ମାଇଲା !” ଏହା କହି ଅନଙ୍ଗ ଆଦରର ଧନକୁ କୋଳକୁ ନେଇ ବାରମ୍ବାର ମୁଖ ଚୁମ୍ବନ କରିବାକୁ ଲାଗିଲେ ।